“ଦେଢ଼ ମାସରେ କୋଭିଡ ମୃତ୍ୟୁ ସଂଖ୍ୟା ଦୁଇଗୁଣ କେମିତି ହେଲା ” : ଓଡ଼ିଶା ହାଇକୋର୍ଟ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏହି ମାମଲାରେ ପ୍ରଶ୍ନ ଉଠାଇଛନ୍ତି। କୋଭିଡ୍ ମୃତ୍ୟୁକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଗତ ଜୁଲାଇ ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍‌  ମୃତ୍ୟୁ ସଂଖ୍ୟା ୪ ହଜାର ୯୨୫ ଥିବା ବେଳେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ସଂଖ୍ୟା ୮ ହଜାର ୨୨ ହୋଇଛି । ତେବେ ମାତ୍ର ଦେଢ଼ ମାସ ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଏତେ ବୃଦ୍ଧି କିପରି ହେଲା ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ସେମିତି କିଛି ସ୍ପଷ୍ଟ ଉଲ୍ଲେଖ କରାଯାଇ ନାହିଁ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଏହି ରିପୋର୍ଟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଉପରେ ବିସ୍ତୃତ ସାନି ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ମୃତକଙ୍କ ସଂଖ୍ୟା କେବେଠାରୁ ହିସାବକୁ ନିଆଯାଇ ଉଲ୍ଲେଖ କରାଯାଇଛି ତାହା ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲାରେ କୋଭିଡଜନିତ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ତାଳମେଳ ରହୁ ନଥିବା ଦେଖାଦେଇଛି । ଏହି ରିପୋର୍ଟ ଆଧାରରେ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ ଅଭିଯୋଗ ହୋଇଥିଲା । 

ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜବାବ ତଲଵ କରି ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବ ଶୁଣାଣିରେ କୋଭିଡ୍‌ ମୃତ୍ୟୁ ପରିସଂଖ୍ୟାନକୁ ନେଇ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା । ଏଥିରେ ଗତ ଜୁଲାଇ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୪୯୨୫ ଜଣ କୋଭିଡ୍‌ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ କରାଯାଇଥିଲା । କିନ୍ତୁ ହାଇକୋର୍ଟ ଏହି ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇକୋର୍ଟରେ ଆଉ ଏକ ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଜୁଲାଇ ମାସର ଅଧାରୁ କରୋନା ସଂକ୍ରମଣ ହ୍ରାସ ପାଇବାରୁ ସେହି ସମୟରେ ଯେଉଁସବୁ ମୃତ୍ୟୁ ହୋଇଥିଲା ତାହାର ପ୍ରାଥମିକ କାରଣ କ’ଣ ରହିଛି ସେ ନେଇ ତର୍ଜମା ଆରମ୍ଭ ହୋଇଥିଲା । ଏବଂ ଗତ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରାଜ୍ୟରେ ୮ ହଜାର ୨୨ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା । 

ସେହିପରି ନୟାଗଡ଼ ଜିଲ୍ଲା ହସ୍ପିଟାଲରେ କୋଭିଡ୍‌ ମୃତ୍ୟୁ ସମ୍ପର୍କରେ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ଗତ ଏପ୍ରିଲ, ମେ’ରେ ଏହି ହସ୍ପିଟାଲରେ ୧୧୭ ଜଣ କୋଭିଡ୍‌ ଆକ୍ରାନ୍ତ ଆଡମିସନ୍‌ ହୋଇଥିଲେ । ତେବେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଯାଞ୍ଚ ପରେ ଜଣାପଡିଛି ଯେ ୧୧୭ ଜଣ ଚିକିତ୍ସିତ ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଛି । 

ସେହିପରି ଅନ୍ୟ ଜିଲ୍ଲା ହସ୍ପିଟାଲ ଗୁଡିକରେ ମୃତ୍ୟୁ ସଂକ୍ରାନ୍ତ ଅଡିଟ୍‌ ଏବେ ଚାଲିଛି ବୋଲି ରିପୋର୍ଟରେ କୁହାଯାଇଛି । କିନ୍ତୁ ତେବେ ଏହି ରିପୋର୍ଟରେ ପର୍ଯ୍ୟାପ୍ତ ତଥ୍ୟ ନଥିବା ନେଇ ହାଇକୋର୍ଟ ମତ ରଖିଛନ୍ତି । ହଠାତ୍‌ ରାଜ୍ୟ ସରକାର ଦେଢ଼ ମାସରେ ମୃତକଙ୍କ ସଂଖ୍ୟା ଏତେ କିପରି ପାଇଲେ ଏବଂ କେଉଁ ଆଧାରରେ ପାଇଲେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ନୟାଗଡ଼ ଜିଲ୍ଲା ସମ୍ବନ୍ଧରେ ହାଇକୋର୍ଟ କହିଛନ୍ତି ଯେ, ଯଦି ଏପ୍ରିଲ, ମେ’ରେ କୋଭିଡ୍‌ ମୃତକଙ୍କ ସଂଖ୍ୟା ୮୧ ରହିଛି ତାହେଲେ ଅନ୍ୟ ସମୟର ପରିସଂଖ୍ୟାନ କ’ଣ ରହିଛି ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରାଯିବାର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ କହିଛନ୍ତି । 

Related Posts