ଖଣି ଦୁର୍ନୀତି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :  ଆଜି ପ୍ରଶ୍ନକାଳରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀଙ୍କ ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନକରିବା କାରଣରୁ ହଙ୍ଗାମା ସୃଷ୍ଟି ହୋଇଛି । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରିବାରୁ କଂଗ୍ରେସ ସଦସ୍ୟ ମାନେ ହଙ୍ଗାମା କରିବା ସଙ୍ଗେ ସଙ୍ଗେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । 

ସେହିପରି ବିଜେପି ବିଧାୟକ ମାନେ ମଧ୍ୟ ବି ଗୃହର ମଧ୍ୟ ଭାଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେପଟେ ବାଚସ୍ପତି ଗୃହକୁ ମୂଲତବି ଘୋଷଣା କରିବା କାରଣରୁ ବାଚସ୍ପତିଙ୍କୁ ଚ୍ୟାମ୍ବରକୁ ଘେରାଉ କରିଥିଲେ ବିରୋଧୀ । ସୂଚନାଯୋଗ୍ୟ ଯେ ଆଜି ବୈଠକ ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ  ପ୍ରଥମେ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହା ପରେ ମଧ୍ୟ ସମାନ ପରିସ୍ଥିତି ଉପୁଜିବା କାରଣରୁ ବାଚସ୍ପତି  ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। 

ବିରୋଧୀ ଦଳର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଖଣି ଦୁର୍ନୀତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ରାଜ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି , ତେଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା । କିନ୍ତୁ ସରକାର ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା କରିବାକୁ ଭୟ କରୁଛନ୍ତି ବିରୋଧୀ ବୋଲି ଅଭିଯୋଗ କରିଛନ୍ତି । 

ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି, ଗୋଲ ପୋଷ୍ଟ ପରିବର୍ତ୍ତନ କରୁଛନ୍ତି ବିରୋଧୀ । ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ । ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନାକୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ ବିରୋଧୀ କାହିଁକି ଉଠାଉ ନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି, ବିରୋଧୀ ଲୁଚକାଳି ଖେଳୁଛନ୍ତି ବୋଲି ପ୍ରତାପ ଦେବ ଅଭିଯୋଗ କରିଛନ୍ତି। 

Related Posts