ମୋ’ ସାଇକେଲ୍‌ ଯୋଜନା’ରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ହାଇକୋର୍ଟରେ ରୁଜୁ ହେଲା ମାମଲା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ମୋ’ ସାଇକେଲ୍‌ ଯୋଜନା’ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଏବେ ହାଇକୋର୍ଟରେ ପହଞ୍ଚିଛି । ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ  ୨ ହଜାର ସାଇକେଲ୍‌ କିଣାଯାଇଥିଲା । ଏ ବାବଦକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା ଯେ କବାଡ଼ିଆଙ୍କୁ ସାଇକେଲ ଗୁଡିକ ବିକ୍ରି କରି ଦିଆଯାଇଛି । ତେଣୁ ସଂପୂର୍ଣ୍ଣ ଯୋଜନାରେ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ କରି, ଏହାର ଉପଯୁକ୍ତ ତଦନ୍ତ ପ୍ରାର୍ଥନା କରି ବିଜେପି ଲିଗାଲ ସେଲ୍‌ ସଂଯୋଜକ ଜୟନ୍ତ କୁମାର ଜେନା ଏକ ମାମଲା ରୁଜୁ କରିଛନ୍ତି । ସେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ଘଟଣାର ତଦନ୍ତ ଓ ଦାୟୀ ଅଧିକାରୀଙ୍କଠାରୁ ଲୁଟ୍‌ ହୋଇଥିବା ଅର୍ଥକୁ ଆଦାୟ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। 

ସେ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ମସିହାରେ ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହୋଇଥିଲା । ଏବଂ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରଦୂଷଣ ହ୍ରାସ କରିବା ଏବଂ ସାଇକେଲ୍‌ ପ୍ରତି ରାଜଧାନୀ ବାସିନ୍ଦାଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ‘ମୋ ସାଇକେଲ୍‌ ଯୋଜନା’ ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ସରକାର ୨ ହଜାର ସାଇକେଲ୍‌ କଣିଥିଲେ । ସାଢେ ୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଏଜେନ୍ସିଠାରୁ ଏହି ସାଇକେଲ୍‌ କିଣାଯାଇଥିଲା । ସାଇକେଲ୍‌ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଆହୁରି ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ପ୍ରତି ସାଇକେଲ୍‌କୁ ୨୫ ହଜାର ଟଙ୍କା ବ୍ୟୟରେ କିଣାଯାଇଥିଲା । ତେବେ ମାତ୍ର ୨ବର୍ଷ ପରେ ଏହି ସାଇକେଲ୍‌ଗୁଡିକ ଏବେ ୫ଟଙ୍କା ଲେଖାଏଁ ହିସାବରେ କବାଡିଆକୁ ବିକ୍ରି କରାଯାଇଥିବା ଦେଖାଯାଇଛି ।

ତେବେ ସେ ଅଭିଯୋଗ କରିଛନ୍ତି ଯେ, ମୋ ସାଇକେଲ  ଯୋଜନାରେ କିଣାଯାଇଥିବା ସାଇକେଲ ଏବଂ ଏହାର ରକ୍ଷଣାବେକ୍ଷଣରେ ବ୍ୟାପକ ଦୁର୍ନୀତି ହୋଇଛି। ୨୦୧୯ ମସିହା ସୁଦ୍ଧା ଭୁବନେଶ୍ୱର ସହରରେ ୨ ହଜାର ସାଇକେଲ୍‌ରୁ ମାତ୍ର ୨୦୦ରୁ ୩୦୦ ସାଇକେଲ୍‌ ଥିବା ଦେଖାଯାଇଥିଲା । ଅନ୍ୟ ସାଇକେଲ୍‌ଗୁଡିକ ଚୋରି କିମ୍ବା ସ୍କାର୍ପରେ ବିକ୍ରି କରି ଦିଆଯାଇଥିଲା । ତେଣୁ ରାଜ୍ୟ ସରକାରଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେବା ସହ ଏହି ଘଟଣା ପାଇଁ ଯେଉଁ ଅଧିକାରୀ ଦାୟୀ ସେମାନଙ୍କ ଠାରୁ ଏହି ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଏହି ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌, ବିଏମ୍‌ସି, କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌), ହିରୋ ୟୋନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଧରଣୀ ଏଣ୍ଟରପ୍ରାଇଜ୍ସେ, ହେକ୍ସି ସାଇକେଲ୍‌ ଅଗଷ୍ଟା ପଏଣ୍ଟ, ୟାନା ସାଇକେଲ୍‌, ୟୁଲୁ ସାଇକେଲ୍‌ ଆଦିକୁ ପକ୍ଷଭୁକ୍ତ କରାଯାଇଛି ।

Related Posts