ଏପଟେ ବୋତଲ ସେପଟେ ବାଣୀ !

ସତ୍ୟପାଠ ବ୍ୟୁରୋ : ଓଡିଶାରେ ମଦ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କ ନୀତି ଆଉ ନିଷ୍ପତିକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ଗୋଟିଏ ପଟେ ମଦ ବିକ୍ରିର ଟାର୍ଗେଟକୁ ଗୁରୁତ୍ୱ ଦିଆଯାଉଛି ଆଉ ଗୋଟିଏ ପଟେ ମଦର ଅପକାରିତା ନେଇ ଟଙ୍କା ଖର୍ଚ୍ଚ କରି ସଚେତନ କରାଯାଉଛି । ମଦ ବିକିବା ଓ କିଣିବା ନେଇ ସରକାରଙ୍କର ଏକା ସାଂଗରେ ଦୁଇଟି ବିପରୀତ କାର୍ଯ୍ୟ ପାଇଁ ଏବେ ସବୁ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।

ଗତ ୨୦୦୬ ମସିହାରୁ ନୂଆ ମଦ ଦୋକାନ ପାଇଁ ଲାଇସେନ୍ସ ଦିଆଯାଇନି । ୮ବର୍ଷ ଧରି ମଦର ଅପକାରିତା ବାବଦରେ ରାଜ୍ୟ ସରକାର ସଚେତନ କରାଉଛନ୍ତି । ଖାସ ଏଇଥି ପାଇଁ ପ୍ରତି ଜିଲ୍ଲାକୁ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉଛି । ଆଉ ଏ ୮ବର୍ଷ ଭିତରେ ୩୨ ଲକ୍ଷ ଟଙ୍କା କେବଳ ସଚେତନତାରେ ଖର୍ଚ୍ଚ କରାଯାଇଛି । ଆଜି ବିଧାନସଭାରେ ମଦ ବିକ୍ରି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ଏଭଳି ସଫେଇ ଦେଇଛନ୍ତି ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ । ତେବେ ଅଧିକ ମଦ ବିକିଲେ ଦୋକାନୀକୁ ପୁରସ୍କାର ଦିଆଯିବ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଏହା ଷ୍ଟାଂଡି କମିଟିର ପରାମର୍ଶ , ରାଜ୍ୟ ସରକାରଙ୍କ ନିଷ୍ପତି ନୁହେଁ ।

ତେବେ ଏହା କହି ନିଜ ବିଭାଗ ତଥା ନିଜ ମୁଣ୍ଡାରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି ମନ୍ତ୍ରୀ ପୂଜାରୀ । ସରକାର ନୂଆ ମଦ ଦୋକାନ ପାଇଁ ସିନା ଲାଇସେନ୍ସ ଦେଉ ନାହାଁନ୍ତି କିନ୍ତୁ ଯେଉଁମାନେ ଲାଇସେନ୍ସ ପାଇଛନ୍ତି ସେମାନଙ୍କୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ବିକିବା ପାଇଁ କୁହାଯାଉଛି । ମଦ ବିକ୍ରି ବାବଦ ରାଜସ୍ୱ ବଢାଇବା ପାଇଁ ଅଧିକ ମଦ ବିକ୍ରି ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଅବଶ୍ୟ ନୂଆ ଦୋକାନର ଆବଶ୍ୟକତା ନାହିଁ । କିନ୍ତୁ ଧାର୍ଯ୍ୟଲକ୍ଷ୍ୟଠୁ ଦୋକାନୀ ଅଧିକ ବିକିଲେ ଯେ ପୁରସ୍କୃତ ହେବ ନାହିଁ ଏବଂ ଖାସ କରି ଅଧିକ ପରିମାଣର ମଦ ବିକ୍ରି ପାଇଁ ସରକାର କହୁ ନାହାଁନ୍ତି ବୋଲି ବି ମନ୍ତ୍ରୀ କହି ନାହାଁନ୍ତି । ଯାହାକୁ ନେଇ ମଦ ବିକ୍ରି ଉପରେ ସରକାରଙ୍କ ଷ୍ଟାଣ୍ଡ ଠିକ୍ ରହୁ ନାହିଁ ବୋଲି ମତ ପ୍ରକାଶ ପାଇଛି ।

Related Posts