‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନର ଡାକରା ଦେଲା କଂଗ୍ରେସ: ମାର୍ଚ୍ଚ 31ରୁ ଏପ୍ରିଲ 7 ତାରଖ ଯାଏ ଦଳ ପକ୍ଷରୁ ଅଭିଯାନର ଘୋଷଣା

ନୂଆଦିଲ୍ଲୀ: ଦେଶରେ ଏବେ ଲଗାତାର ଭାବେ ବିଭିନ୍ନସମଗ୍ରିର ଦର ବଢ଼ିବାକୁ ଲାଗୁଛି । ଏହାରି ମଧ୍ୟରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ୍ ଅଣ୍ଟାଭିଡିଛି । ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନର ଡାକରା ଦେଇଛି କଂଗ୍ରେସ । ଆସନ୍ତା ମାର୍ଚ୍ଚ 31ରୁ ଏପ୍ରିଲ 7 ତାରଖ ଯାଏ ଦଳ ପକ୍ଷରୁ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନର ଘୋଷଣା କରାଯାଇଛି । ଦଳ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ମାର୍ଚ୍ଚ 31 ତାରିଖ ଦିନ 11ଟା ସମୟରେ କଂଗ୍ରେସ କର୍ମୀମାନେ ନିଜ ଘର ବାହାରେ ଅଥବା ସାର୍ବଜନୀନ ସ୍ଥାନରେ ଏଲପିଜି ଗ୍ୟାସ ଦରବୃଦ୍ଧି ବିରୋଧରେ ଘଣ୍ଟି ବଜାଇ ପ୍ରତିବାଦ କରିବେ । ଏହି ବିକ୍ଷୋଭରେ କଂଗ୍ରେସର ସମସ୍ତ ବଡ ନେତା ସାମିଲ ହେବାର ସୂଚନା ରହିଛି ।

ଦିଲ୍ଲୀରେ ଆୟୋଜିତ ହୋଇଥିବା କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାଧାରଣ ସଚିବ ତଥା ଦଳ ପ୍ରଭାରୀ ସୁରଜେୱାଲା କହିଛନ୍ତି । ସେ କହିଛନ୍ତି ସାଧାରଣ ଲୋକଙ୍କ ସ୍ବର ସାମ୍ନାକୁ ଆଣିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ତିନୋଟି ପର୍ଯ୍ୟାୟରେ ଅଭିଯାନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ 31ରେ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ 2 ରୁ ଏପ୍ରିଲ 4 ମଧ୍ୟରେ ସାରା ଦେଶରେ ଜିଲ୍ଲା ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହେବ। ସେହିପରି ଏପ୍ରିଲ 7ତାରିଖରେ ସମସ୍ତ ରାଜ୍ୟ ରାଜଧାନୀରେ କଂଗ୍ରେସ କର୍ମୀମାନେ ଧାରଣା ଦେବେ ।ସୁରଜେୱାଲା ଆହୁରି ମଧ୍ୟ କହିଛନ୍ତି ମୋଦି ସରକାର ସାଧାରଣ ଲୋକଙ୍କୁ ଠକିଛନ୍ତି । ଭୋଟ ପାଇବା ପାଇଁ ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ, ସିଏନଜିର ମୂଲ୍ୟ 137 ଦିନ ବୃଦ୍ଧି କରାଯାଇ ନାହିଁ । ମାତ୍ର ଗତ ଏକ ସପ୍ତାହରେ ବୃଦ୍ଧି ପାଇଥିବା ଦର ପ୍ରତ୍ୟେକ ଘର ପାଇଁ ବିପଦ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ପେଟ୍ରୋଲ, ଡିଜେଲ ଦର ଚାରି ଗୁଣା ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲ ଏବଂ ଡିଜେଲକୁ 3 ଟଙ୍କା 20 ପଇସା ବୃଦ୍ଧି କରାଯାଇଛି । ଏଥିସହିତ ଏଲପିଜି ଗ୍ୟାସର ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇଛି ।

Related Posts