ଭୁବନେଶ୍ବର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା ଦିନ କୁ ଦିନ ସଂଘିନ୍ ହେବାରେ ଲାଗିଛି। ମାମଲାକୁ ନେଇ ତଦନ୍ତ ଯେତେ ଆଗକୁ ବଢ଼ୁଛି, ଅନେକ ବଡ଼ ବଡ଼ ଅଧିକାରୀ ମାମଲା ମଧ୍ୟରେ ଛନ୍ଦି ହେବାରେ ଲାଗୁଚି।
କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଯାଇଥିବା ବେଳେ, ମାମଲାର ତଦନ୍ତ ଲାଗି ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛନ୍ତି। ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି ରହିଥିବା ଜଣାଯାଇଛି। ଏହି ତଦନ୍ତରେ କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମକୁ ମଧ୍ୟ ସାମିଲ କରାଯାଇଛି। ବୃଦ୍ଧାଶ୍ରମର କେଆର ଟେକରଙ୍କୁ ଟିମ୍ ପଚରାଉଚରା କରୁଥିବା ଜଣାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି।
ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ସେହି ୱେବ୍ ପୋର୍ଟାଲ ମାଲିକାଣୀଙ୍କ ଫଟୋ ସାମ୍ନାକୁ ଆସିଛି । ଏହି ମହିଳାଜଣଙ୍କ ଏହି ହତ୍ୟାକାଣ୍ଡ ପଛରେ ଥିବା କୁହାଯାଉଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି। ଚର୍ଚ୍ଚା ହେଉଛି ଯେ ଶର୍ମିଷ୍ଠା ରାଉତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ଶର୍ମିଷ୍ଠା ମାଗୁଥିଲେ ବି ମାନସ ଦେଉନଥିଲେ।
ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଯାଇ ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ହତ୍ୟା କରାଯାଇଥିବା କୁହାଯାଉଛି। ଏଣେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ତାଙ୍କ ସଂସ୍ଥାର ରାଜଧାନୀରେ ଥିବା କାର୍ଯ୍ୟାଳୟକୁ ପ୍ରାୟ ମାସେ ହେବ ଆସି ନଥିବା କହିଛନ୍ତି କେଆର ଟେକର୍ ।
ଅନ୍ୟପଟେ, ମାନସ ସ୍ୱାଇଁ ହତ୍ୟା ଘଟଣାର ମେମୋରୀ ଚିପ୍ କୁ ନେଇ ଲାଗିରହିଥିବା ଚର୍ଚ୍ଚା ମଧ୍ୟରେ ପରଦା ଉଠିଛି । ମାନସଙ୍କ ବନ୍ଧୁଙ୍କ କହିବା ଅନୁସାରେ ଜାନୁଆରୀ ୨୯ ତାରିଖରେ ପୁରୀରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଶୁଟିଂ କରାଯାଇଥିଲା। ସେହି ଚଳଚ୍ଚିତ୍ରରେ ନାୟକ ହୋଇଥିଲେ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ(ଟେକ୍ନିକାଲ୍) ନିରଞ୍ଜନ ସେଠୀ। ତାଙ୍କ ସହ ଦୁଇ ଜଣ ଯୁବତୀ ଓ ଜଣେ ମହିଳା ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ଏକ ଗାଧୁଆ ସିନ୍ ଥିଲା। ସେହି ଗାଧୁଆ ସିନ୍ ଶୁଟିଂ କରିଥିଲେ ଖୋଦ୍ ମାନସ ସ୍ୱାଇଁ। ଆଉ ଶୁଟିଂ ସମୟରେ ପାଖେ ପାଖେ ଥିଲେ ଶର୍ମିଷ୍ଠା ରାଉତ। କ୍ଷୁତ୍ର ଚଳଚ୍ଚିତ୍ର ଶୁଟିଂ ପରେ ଅସାବଧାନତା କାରଣରୁ ଡିଲିଟ୍ ହୋଇଯାଇଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏଥିପାଇଁ ମାନସଙ୍କୁ ନିରଞ୍ଜନ ଓ ଶର୍ମିଷ୍ଠା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଲା ପରେ ମୋମୋରୀ ଚିପ୍ରୁ ଭିଡିଓ ରିକଭରି କରିଦେବେ ବୋଲି ମାନସ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ସମ୍ଭବପର ହେଉନଥିଲା। ଯେଉଁଥିପାଇଁ ମାନସଙ୍କ ୪ରୁ ୫ ମାସର ଦରମା ବନ୍ଦ କରିଦେଇଥିଲେ ଶର୍ମିଷ୍ଠା। ଆଉ ମେମୋରୀ ଚିପ୍ରୁ ଭିଡିଓ ରିକଭରୀ କରିବାକୁ ବାରମ୍ୱାର ଚାପ ପକାଉଥିଲେ। ଯାହାକୁ ନେଇ ମାନସ ଚିନ୍ତାରେ ଥିଲେ।





