
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରବର୍ତ୍ତି କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେ ନେଇ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଅଧ୍ୟକ୍ଷ ଦୌଡ଼ରେ ଶଶି ଥରୁର, କେସି ବେଣୁଗୋପାଲ ଏବଂ ମଲ୍ଲିକାର୍ଜୁନ ଖଡଗେ ଥିବା ବେଳେ ଦିଗବିଜୟ ସିଂହଙ୍କ ନାଁ ମଧ୍ୟ ଏବେ ଶୁଣିବାକୁ ମିଳୁଛି। ସେ ଖୁବଶୀଘ୍ର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂତ୍ରରୁ ଜଣାପଡିଛି। ଏଥିପାଇଁ ଆଜି ରାତିରେ ଦିଗ୍ବିଜୟ ଦିଲ୍ଲୀ ଆସିବେ। ପୂର୍ବରୁ ଅଧ୍ୟକ୍ଷ ଦୌଡ଼ରେ ଅଶୋକ ଗେହେଲୋଟ ରହିଥିଲେ। ହେଲେ ରାଜସ୍ଥାନରେ ଯେଉଁ ରାଜନୈତିକ ଡ୍ରାମା ହେଲା ସେଥିରେ କଂଗ୍ରେସ ହାଇକମାଣ୍ଡ ଗେହେଲୋଟ୍ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ଅଧ୍ୟକ୍ଷ ପଦ ଭୋଟ୍ରୁ ବାହାର କରିଦିଆଯାଇଛି।
ଅକ୍ଟୋବର ୧୭ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର ଏହି ପଦ ପାଇଁ ଅଧିକ ଦାବିଦାର ବୋଲି କୁହାଯାଉଛି। ତେବେ ଏଥିର ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେ ନାହିଁ ବୋଲି ସୂଚନା ମିଳୁଛି। କାରଣ ରାହୁଲ ଗାନ୍ଧୀ ନିର୍ବାଚନରେ ସାମିଲ୍ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ୨୦୧୯ରେ କଂଗ୍ରେସ ଦ୍ୱିତୀୟ ଥର ପାଇଁ ପରାଜିତ ହେବା ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ରାହୁଲଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ହୋଇଥିଲେ। ତେବେ ସେ ମଧ୍ୟ ୨୦୨୦ ଅଗଷ୍ଟ ମାସରେ ଅନ୍ତୀରଣ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବାକୁ କହିଥିଲେ। ଦଳର ଜି-୨୩ ନେତାମାନେ ବିଦ୍ରୋହ କରିବାରୁ ସେ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ତେବେ କଂଗ୍ରେସ କାର୍ଯ୍ୟକାରୀ କମିଟି ତାଙ୍କୁ ବାଧ୍ୟ କରି ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବାକୁ ଅନୁରୋଧ କରିଥିଲା। ସେବେଠାରୁ ସୋନିଆ ଅନ୍ତରୀଣ ଅଧ୍ୟକ୍ଷା ଅଛନ୍ତି।