ମମତା ସରକାରଙ୍କୁ ଝଟକା; ‘ଦୁଆରେ ରାସନ’ ଯୋଜନାକୁ ବେଆଇନ ଘୋଷଣା କଲେ କୋଲକତା ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି କୋଲକତା ହାଇକୋର୍ଟରୁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଲାଗିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ମମତା ସରକାରଙ୍କ ମହାତ୍ୱାକାଂକ୍ଷୀ ଯୋଜନା ‘ଦୁଆରେ ରାସନ’କୁ ବେଆଇନ ବୋଲି କହିଛନ୍ତି ହାଇକୋର୍ଟ । ଗୋଟିଏ ବର୍ଷ ପୂର୍ବେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏହି ଯୋଜନାର ଉଦଘାଟନ କରିଥିଲେ । ଏହା ଅଧିନରେ ରାସନ କାର୍ଡ ଧାରୀଙ୍କ ଘରେ ପହଞ୍ଚି ରାସନ ପହଞ୍ଚାଯାଉଥିଲା ।ମମତା ସରକାରଙ୍କ ଦାବି ଅନୁସାରେ, ଏହି ଯୋଜନାରେ ରାଜ୍ୟର କୋଟି କୋଟି ଲୋକଙ୍କୁ ଲାଭ ମିଳିବ। ଘଣ୍ଟା ଘଣ୍ଟା ରାସନ୍ ଦୋକାନ ଆଗରେ ଲାଇନରେ ଅପେକ୍ଷା ମଧ୍ୟ କରିବାକୁ ପଡିବ ନାହିଁ । ସେପ୍ଟେମ୍ୱର ୧୧ରେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା କିନ୍ତୁ ହାଇକୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଏହି ଯୋଜନାକୁ ନିଜର ଘୋଷଣା ପତ୍ରରେ ସାମିଲ କରିଥିଲା । ତେବେ କିଛି ରାସନ ଡିଲର ଏହାକୁ ବେଆଇନ କହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଡିଲରଙ୍କ ଅଭିଯୋଗ ଅନୁସାରେ, ଏହି ଯୋଜନା ଆଇନ ବିରୋଧୀ ଅଟେ । କାରଣ ଏହି ଯୋଜନା ପାଇଁ ରାଜ୍ୟରେ ଭିତ୍ତିଭୂମି ଏବଂ ସୁବିଧା ନାହିଁ । ଅନ୍ୟପଟେ ମମତା ସରକାରଙ୍କ ଏନେଇ ଯୁକ୍ତି ଥିଲା ଯେ, ଡିଲରମାନେ ଗାଡିରେ ରାସନ ନେଇ ଯିବେ ଏବଂ ୫୦୦ ମିଟର ପରିଧିରେ ଥିବା ଘରେ ଏହାକୁ ବିତରଣ କରିବେ ।

Related Posts