କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଶଶି ଥରୁର ଓ ଅଶୋକ ଗେହଲଟ୍‌ଙ୍କ ମଧ୍ୟରେ ହୋଇପାରେ ଜୋରଦାର ଲଢେଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅକ୍ଟୋବର ମାସରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ। ଏହି ନିର୍ବାଚନରେ ହୋଇପାରେ ଜୋରଦାର ଟକ୍କର। ଦଳର ସାଂସଦ ଶଶି ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ହୋଇପାରନ୍ତି ମୁହାଁମୁହିଁ। ଗୋଟିଏ ପଟେ ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କୁ ପୁଣିଥରେ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରୁଛନ୍ତି, ଅନ୍ୟପଟେ ଗାନ୍ଧି ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେବାରେ ଲାଗିଛି।ଏହାରି ଭିତରେ ଏହି ଦୁଇ ନେତାଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

ଜି-୨୩ ନେତା ଭାବେ ଜଣାଶୁଣା ଶଶି ଥରୁର ସଭାପତି ରେସ୍‌ରେ ରହିଛନ୍ତି। ଏପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଦୌଡ଼ରେ ସାମିଲ ଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଅଶୋକ ଗେହଲଟ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀ ଯିବେ। ଏହାପର ଦିନ ସେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ। ଅନ୍ୟପଟେ ବିଦେଶରୁ ଫେରିବା ପରେ ଗତକାଲି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଶଶି ଥରୁର । ସ୍ୱଚ୍ଛ ଓ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗତ ସପ୍ତାହରେ ସେ ଖୋଲା ଖୋଲି ଦାବି କରିଥିଲେ। ଏହାପରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସୋନିଆ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଏପରିକି ସୋନିଆ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବା ପାଇଁ ଶଶି ଥରୁରଙ୍କୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ସାରିଛନ୍ତି ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେଣୁ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ ସଭାପତି ପଦ ପାଇଁ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୯ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ସଭାପତି ପଦ ଛାଡ଼ିଥିଲେ ରାହୁଲ ଗାନ୍ଧି। ଏହା ପରେ ଅନ୍ତରୀଣ ଅଧ୍ୟକ୍ଷା ଭାବେ ପଦ ସମ୍ଭାଳିଛନ୍ତି ସୋନିଆ ଗାନ୍ଧି। ରାହୁଲ ଗାନ୍ଧିଙ୍କୁ ବାରମ୍ବାର ଅନୁରୋଧ କରା ଯାଇଥିଲେ ମଧ୍ୟ ସେ ପୁଣିଥରେ ଅଧ୍ୟକ୍ଷ ହେବାକୁ ଅମଙ୍ଗ ଅଛନ୍ତି। ନିକଟରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଲେ ସବୁକିଛି ସ୍ପଷ୍ଟ ହୋଇଯିବ। ଏସବୁ ଭିତରେ ଶଶି ଥରୁର ଓ ଅଶୋକ ଗେହଲଟ୍‌ଙ୍କ ନାମକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।

Related Posts