କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନିଜ ଇସ୍ତାହାରରେ ଭାରତର ତ୍ରୁଟିପୂର୍ଣ୍ଣ ମାନଚିତ୍ର ପ୍ରକାଶ ପରେ ନିଃସର୍ତ୍ତ କ୍ଷମା ମାଗିଲେ ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ଦିନ ଦଳ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ଶଶି ଥରୁର ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ଯଦିଓ ଶଶି ଥରୁର ଏହି ଇସ୍ତାହାରରେ ଅଧ୍ୟକ୍ଷ ଭାବରେ ନିଜର ଭିଜନ୍ ଦର୍ଶାଇଛନ୍ତି, କିନ୍ତୁ ତାଙ୍କ ଇସ୍ତାହାରରେ ଥିବା ଭାରତର ମାନଚିତ୍ରକୁ ନେଇ ବିବାଦ ଦେଖାଦେଇଛି। ଥରୁର ଏହି ଇସ୍ତାହାର‌ରେ ଭାରତର ଏକ ତ୍ରୁଟିପୂର୍ଣ୍ଣ ଏବଂ ବିକୃତ ମାନଚିତ୍ର ସ୍ଥାନିତ କରିଛନ୍ତି । ଥରୁର ଦେଇଥିବା ଏହି ମାନଚିତ୍ରରେ ଜମ୍ମୁ କାଶ୍ମୀର ଏବଂ ଲଦାଖ ନାହିଁ। ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଥରୁରଙ୍କ ଅଫିସ ପକ୍ଷରୁ ଇସ୍ତାହାରରେ ତ୍ରୁଟି ସଂଶୋଧନ କରାଯାଇଛି।

ଥରୁର ମଧ୍ୟ ଏନେଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘କେହି ଜାଣି ଶୁଣି ଭୁଲ କରି ନଥାଏ। ଆମ ଟିମ୍ ଦ୍ଵାରା ଏକ ଛୋଟ ଭୁଲ ହୋଇଯାଇଛି। ଭୁଲ ଜଣା ପଡ଼ିବା ପରେ ଆମେ ତୁରନ୍ତ ଏହାକୁ ସଂଶୋଧନ କରିଛୁ। ଭୁଲ ପାଇଁ ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି।’ ଏହାସହିତ ନିଜ ଟୁଇଟରେ ସଂଶୋଧିତ ଇସ୍ତାହାରର କୁ ମଧ୍ୟ ସ୍ଥାନିତ କରିଛନ୍ତି ଥରୁର।

ତେବେ ବିଜେପି ଆଜି ଏହି ପ୍ରସଙ୍ଗରେ ଥରୁରଙ୍କୁ ଟାର୍ଗେଟ କରିଛି।ବିଜେପି ଆଇଟି ସେଲ୍ ଦାୟିତ୍ୱରେ ଥିବା ଅମିତ ମାଲଭିୟ ଏନେଇ ଟୁଇଟ କରି ଲେଖିଛନ୍ତି ଯେ, ‘ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ତାଙ୍କ ଇସ୍ତାହାରରେ ଭାରତର ଭୁଲ ମାନଚିତ୍ର ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଯେଉଁଠାରେ ରାହୁଲ ଗାନ୍ଧୀ ଭାରତ ଯାତ୍ରା କରୁଛନ୍ତି, ଅନ୍ୟ ପଟେ ତାଙ୍କ ଅଧ୍ୟକ୍ଷ ପ୍ରାର୍ଥୀ ଭାରତକୁ ଭାଙ୍ଗୁଛନ୍ତି । ବୋଧହୁଏ ସେ ଅନୁଭବ କରୁଛନ୍ତି ଯେ ଏହା ଦ୍ୱାରା ସେ ରାହୁଲ ଗାନ୍ଧୀଙ୍କୁ ସାହାଯ୍ୟ କରିପାରିବେ।’

Related Posts