
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆଉ ରାଜଧାନୀ ଭୁବନେଶ୍ଵରର ରାସ୍ତାକଡ଼ରେ ରହିବ ନାହିଁ ପବ୍ଲିକ ଡଷ୍ଟବିନ୍। ଗତକାଲି ବିଏମ୍ସିର ଗାଡ଼ି ସହର ସାରା ବୁଲିବୁଲି ସବୁ ପବ୍ଲିକ ଡଷ୍ଟବିନ୍କୁ ଉଠାଇନେଇଛି। ନୂଆ ନିୟମାନୁସାରେ ଏଣିକି ସମସ୍ତେ ନିଜ ଘରେ ଦୁଇଟି ଡଷ୍ଟବିନ୍ ରଖିବେ। ଓଦା ଶୁଖିଲା ଆବର୍ଜନାକୁ ପୃଥକ୍ ଭାବେ ରଖି ଘର ପାଖକୁ ଆସୁଥିବା ସଫେଇ ଗାଡ଼ିରେ ଦେବେ। ତେଣୁ ଆଉ କେହି ରାସ୍ତାକଡ଼ରେ କିମ୍ବା ପବ୍ଲିକ୍ ଡଷ୍ଟବିନ୍ରେ ଅଳିଆ ପକାଇବେ ନାହିଁ । ଯଦି କେହି ରାସ୍ତାକଡ଼ରେ ବା ସର୍ବସାଧାରଣରେ ଆବର୍ଜନା ପକାଏ ତେବେ ସିସିଟିଭି ଫୁଟେଜ୍ କିମ୍ବା ସାଧାରଣ ଲୋକଙ୍କର ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ମୋଟା ଅଙ୍କର ଫାଇନ ମଧ୍ୟ ଦେବାକୁ ପଡ଼ିବ। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ୫ ଶହ ଟଙ୍କାରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା ରାଶି ମଧ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସାଧାରଣ ଲୋକ ଓ ବ୍ୟବସାୟୀମାନେ ସହଯୋଗ କରିବାକୁ ବିଏମ୍ସି ଅନୁରୋଧ କରିଛି।
ତେବେ ଏହି ନିଷ୍ପତ୍ତିକୁ ସାଧାରଣରେ ଜୋରଦାର ବିରୋଧ କରାଯାଇଛି। ବିଏମ୍ସିର ଟ୍ବିଟର ହାଣ୍ଡେଲ୍ ଏ ସମ୍ବନ୍ଧୀୟ ଅଭିଯୋଗରେ ଭର୍ତ୍ତି ହୋଇଯାଇଛି। ସମସ୍ତେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଅଧିକ ଡଷ୍ଟବିନ୍ ଯୋଗାଇବା ଆବଶ୍ୟକ ହେଉଥିବା ବେଳେ ଡଷ୍ଟବିନ୍କୁ ହଟାଇଦେବା ନିଷ୍ପତ୍ତି କାହାର ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି। କେହି କେହି ଲେଖିଛନ୍ତି ଯେ ଯଦି ସଫେଇ ଗାଡ଼ି ଦିନକୁ ଏକାଧିକ ବାର ଆସିବ, ଆଉ ଡଷ୍ଟବିନ୍ ଆବଶ୍ୟକ ହେବ ନାହିଁ। କିନ୍ତୁ ସଫେଇ ଗାଡ଼ି ଦିନରେ ଥରେ ଆସୁଥିବାରୁ ସମସ୍ୟା ହେବ। ଅନେକ ଦମ୍ପତି ଚାକିରି କରିଥିବାରୁ ଗାଡ଼ିବାଲାକୁ ଅପେକ୍ଷା କରିପାରିବେନାହିଁ। ତେଣୁ ତୁରନ୍ତ ଏହି ନିଷ୍ପତ୍ତି ବଦଳାଇ ବିଏମ୍ସି ଅଧିକ ଡଷ୍ଟବିନ୍ ଯୋଗାଇବା ଜରୁରୀ ବୋଲି କେତେକ କହିଛନ୍ତି।
ତେବେ ଆବର୍ଜନା ପୃଥକୀକରଣ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି ବୋଲି ବିଏମ୍ସି କହିଛି। ପବ୍ଲିକ୍ ଡଷ୍ଟବିନ୍ରେ ମିଶ୍ରିତ ଆବର୍ଜନା ପଡ଼ୁଥିବାରୁ ତାହାକୁ ପରିଚାଳନା କରିବା କଷ୍ଟକର ହୋଇପଡ଼ୁଛି। ଏବେ ବହୁ ଲୋକ ଓ ବ୍ୟବସାୟୀ ଦୁଇ ଦୁଇଟି ଡଷ୍ଟବିନ୍ ରଖି ଆବର୍ଜନା ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ବ୍ୟବସାୟୀମାନେ ନିଜ ପରିସରର ୫ ମିଟର ପର୍ଯ୍ୟନ୍ତ ସଫା ରଖିବାକୁ ନିର୍ଦ୍ଦେଶ ହୋଇଛି ଏବଂ କାର୍ଯ୍ୟକାରୀ ମଧ୍ୟ ହେଉଛି। ସେଥିପାଇଁ ଆଉ ପବ୍ଲିକ୍ ଡଷ୍ଟବିନ୍ ଆବଶ୍ୟକ ନାହିଁ ବୋଲି ବିଏମ୍ସି ଯୁକ୍ତି ବାଢ଼ିଛି।