କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ‘ଦଳ କାହାରିକୁ ପ୍ରାର୍ଥୀ କରିନାହିଁ’: ନିର୍ବାଚନ ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଗତକାଲି ଏହି କ୍ରମରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦଳର ସାଧାରଣ ସଂପାଦକ ତଥା ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ତେବେ ସୂଚନା ଅନୁସାରେ ନାମାଙ୍କନ ଦାଖଲର ଶେଷ ଦିନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ଶଶି ଥରୁର ଏବଂ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍‌ ତ୍ରିପାଠୀ ଶୁକ୍ରବାର ଦିନ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ଏହି ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଗାନ୍ଧି ପରିବାର ଖଡ଼ଗେଙ୍କୁ ସମର୍ଥନ କରୁଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ମିସ୍ତ୍ରୀ କହିଛନ୍ତି, ଦଳ କାହାକୁ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରିନାହିଁ କି ଗାନ୍ଧି ପରିବାର ମଧ୍ୟ କାହାକୁ ସମର୍ଥନ କରୁନାହାନ୍ତି। ସମସ୍ତେ ନିଜ ଇଚ୍ଛା ଅନୁସାରେ ନିର୍ବାଚନ ଲଢୁଛନ୍ତି ବୋଲି ମିସ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦଳର ପ୍ରାୟ ୯,୧୦୦ରୁ ଅଧିକ ପ୍ରତିନିଧି ଏହି ନିର୍ବାଚନରେ ଭୋଟ୍‌ ଦେବେ। ଅକ୍ଟୋବର ୧୯ରେ ଏହାର ଫଳାଫଳ ଘୋଷଣା ହେବ। ଖଡ଼ଗେଙ୍କ ପ୍ରତି ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଥିବାରୁ ସେ ହିଁ ଆଗାମୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜିତିବେ ବୋଲି କୁହାଯାଉଛି।

Related Posts