କଂଗ୍ରେସ କାଉନସିଲର ହତ୍ୟା ମାମଲା; ଟିଏମସି ନେତାଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ କଂଗ୍ରେସ କାଉନସିଲର ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ଗିରଫ କରିଛି ସିବିଆଇ । ତେବେ ଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ଝାଲଦା ମ୍ୟୁନିସିପାଲିଟିର କଂଗ୍ରେସ କାଉନସିଲର ତପନ କାଣ୍ଡୁଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ତୃଣମୂଳ କଂଗ୍ରେସ (ଟିଏମସି)ର ଜଣେ ନେତାଙ୍କୁ ଗିରଫ କରିଛି। ସତ୍ୟବନ ପରମାଣିକ ନାମକ ଏହି ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଗିରଫ କରାଯାଇଥିବା ସିବିଆଇର ଜନୈକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ମୃତ କାଉନସିଲର ତପନ କାଣ୍ଡୁଙ୍କ ଭାଇ ନରେନ କାଣ୍ଡୁଙ୍କୁ ମଧ୍ୟ ଏହି ମାମଲାର ପ୍ରାରମ୍ଭିକ ପର୍ୟ୍ୟାୟ ତଦନ୍ତ ସମୟରେ ପୁଲିସ ଅଟକ ରଖିଛି।

ନରେନ କାଣ୍ଡୁ ଗିରଫ ଅଭିଯୁକ୍ତ ସତ୍ୟବନ ପରମାଣିକର ଜଣେ ସହଯୋଗୀ ଥିବା ତଦନ୍ତରୁ ଜଣାପଡ଼ିଛି। ସେପଟେ ମାର୍ଚ୍ଚ ୧୩ରେ ଗୁଳି କରି ହତ୍ୟା କରା ଯାଇଥିବା ତପନ କାଣ୍ଡୁଙ୍କ ମୃତ୍ୟୁଘଟଣାର ତଦନ୍ତ କରିବାକୁ କାଲକାଟା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। କିଛି ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲରେ ଆସି ବାସଭବନ ବାହାରକୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ପଏଣ୍ଟ-ବ୍ଲାଙ୍କ ରେଞ୍ଜରୁ କଂଗ୍ରେସ କାଉନସିଲର ତପନ କାଣ୍ଡୁଙ୍କ ଉପରକୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts