ସ୍ମିତାରାଣୀ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ସତ୍ୟ ପ୍ରକାଶ ନାୟକ ସ୍ଥାନୀୟ ପୋଲିସ ପ୍ରଶାସନ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଯେଭଳି ତଦନ୍ତ କରୁଛି ତାହା ସନ୍ଦେହପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି । ଏଯାବତ୍ ପୋଲିସର କାର୍ଯ୍ୟକଳାପ ଅଭିଯୁକ୍ତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଖସାଇ ଦେବା ଓ ତଥ୍ୟ ପ୍ରମାଣକୁ ନଷ୍ଟ କଲାଭଳି ପ୍ରତୀୟ ହେଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କାହିଁକି ଏଯାଏଁ ହରିଦାସପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ଅନ୍ୟ ୫ ଜଣଙ୍କୁ ପୋଲିସ ଗିରଫ ନକରି ଅଟକ ରଖିଛି ବୋଲି କହୁଛି ।

ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ଯେଭଳି ଭାବରେ ଆତ୍ମହତ୍ୟାର ରୂପ ଦିଆଯାଉଛି, ଏହା ପଛରେ ଶାସକ ଦଳର ବଡ ବଡିଆ ନେତା ଓ ମାଫିଆଙ୍କର ହାତ ରହିଛି । ତେଣୁ ପୋଲିସ ଜାଣିଶୁଣି ତଦନ୍ତକୁ ପାଣିଚିଆ କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ବାବୁ ‘ମୋ ସରକାର’ର ପ୍ରଚାର କରୁଛନ୍ତି । ସେପଟେ ରାଜ୍ୟ ସରକାରର ଜଣେ ମହିଳା ପଂଚାୟତ ବିଭାଗର ଅଧିକାରୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି କିନ୍ତୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ନୀରବ, ୫-ଟି ସଚିବ ଚୁପ୍ । ସ୍ମିତାରାଣୀ କାର୍ଯ୍ୟକରୁଥିବା ପଂଚାୟତ ବିଭାଗର ମନ୍ତ୍ରୀ ଓ ସଚିବ ମଧ୍ୟ ନିରବ । ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ବିଧାୟକ ଓ ସାଂସଦଙ୍କର ଏଯାଏଁ ଦେଖାନାହିଁ । ରାଜ୍ୟ ମହିଳା କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଘଟଣା ସ୍ଥଳକୁ କୌଣସି ପ୍ରତିନିଧି ଦଳ ଗଲେ ନାହିଁ କି କମିଶନଙ୍କ ପକ୍ଷରୁ ନିଜଆଡୁ ମାମଲାକୁ ଗ୍ରହଣ କରାଯାଇନାହିଁ । ଏ ସମସ୍ତ ଘଟଣା ଦର୍ଶଉଛି ବିଜୁ ଜନତା ଦଳ ଓ ଓଡିଶା ପ୍ରଶାସନ ପକ୍ଷରୁ ଏ ଘଟଣାକୁ ରଫାଦଫା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ମୃତକ ସ୍ମିତାରାଣୀ ବିଶ୍ୱାଳଙ୍କ ସ୍ୱାମୀ ଗଣମାଧ୍ୟମକୁ ଦେଇଥିବା ବିବୃତି ଏ ଅଭିଯୋଗକୁ ପ୍ରମାଣ କରୁଛି । ଗତକାଲି ସେ ଗଣମାଧ୍ୟମକୁ ସ୍ପଷ୍ଟଭାବେ କହିଛନ୍ତି ଯେ ବିଭିନ୍ନ ବେଆଇନ୍ କାର୍ଯ୍ୟ କରିବା ପାଇଁ ଏବଂ ବେଆଇନ୍ କାମକୁ ସ୍ୱୀକୃତି ଦେବାପାଇଁ ଅନେକ ସମୟରେ ତାଙ୍କ ପତ୍ନୀଙ୍କ ନିକଟକୁ ଫୋନ୍ ଆସୁଥିଲା, ଚାପ ପଡୁଥିଲା ଏବଂ ଧମକ ଚମକ ମଧ୍ୟ ଦିଆଯାଉଥିଲା । ତେଣୁ ପ୍ରଦେଶ କଂଗ୍ରେସର ସନ୍ଦେହ ଯେ ଏହା ପଛରେ ବହୁ ବଡ ବଡ ନେତା ଓ ମାଫିଆଙ୍କର ହାତ ରହିଛି ।

ପୋଲିସ ଅଟକ ରଖିଥିବା ଅଭିଯୁକ୍ତ ରୂପେଶ ଭଦ୍ର ଜଣେ ବିତଶାଳୀ ଠିକାଦାର । ସେ ଅଂଚଳରେ ଅବସ୍ଥିତ ଏକ ବିରାଟ ସିମେଂଟ କାରଖାନା ଏବଂ ରେଳବାଇରେ ତାଙ୍କର କୋଟିକୋଟି ଟଙ୍କାର ଠିକାଦାରୀ କାମ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା । ତେଣୁ ପୋଲିସର ତଦନ୍ତକୁ ବାଟବଣା କରିବା ପାଇଁ ରୂପେଶ ଭଦ୍ରଙ୍କର ଅର୍ଥବଳ ଓ ବାହୁବଳ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏ ସମସ୍ତ ଘଟଣାକୁ ଦେଖିଲେ ରାଜ୍ୟ ପୋଲିସ ପ୍ରଶାସନର ତଦନ୍ତ ନିରପେକ୍ଷ ହେବନାହିଁ ଏବଂ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେଣୁ ଯଦି ନବୀନ ବାବୁ ବାସ୍ତବରେ ନିରପେକ୍ଷ ତଦନ୍ତ ଚାହୁଁଛନ୍ତି ଏବଂ ଦୋଷୀଙ୍କୁ ଘଂଟ ଘୋଡାଉ ନାହାନ୍ତି ତେବେ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଶାଳା କଂଗ୍ରେସ ବିଧାୟିକା ପ୍ରାର୍ôଥନୀ ଶ୍ରୀମତୀ ସ୍ମୃତିରେଖା ପହି ଉପସ୍ଥିତ ଥିଲେ ।

Related Posts