
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳର ସମସ୍ତ ପଦ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଲମ୍ବା ଇସ୍ତଫା ପତ୍ର ପଠାଇଛନ୍ତି। ଏହି ଇସ୍ତଫା ପତ୍ରରେ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଜାଦ୍। କେବଳ ଏତିକି ନୁହେଁ, କଂଗ୍ରେସର ପତ୍ତନ ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗିଥିବା ଗୁଲାମ ନବୀ ଆଜାଦ ଆହୁରି ମଧ୍ୟ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି।
ରାହୁଲ ଗାନ୍ଧୀ ଗଣମାଧ୍ୟମ ଉପସ୍ଥିତିରେ ସରକାରଙ୍କ ଅଧ୍ୟାଦେଶ କାଗଜକୁ ଚିରି ଦେଇଥିଲେ। ସେହି ଅଧ୍ୟାଦେଶ ଉପରେ କଂଗ୍ରେସର କୋର ଗ୍ରୁପ୍ରେ ଆଲୋଚନା କରାଯାଇ କ୍ୟାବିନେଟ ଅନୁମୋଦନ ଲାଭ କରିଥିଲା। ଏହିପରି ପିଲାଳିଆମୀ ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଥିଲା। ଏହି ଘଟଣା ୨୦୧୪ରେ କଂଗ୍ରେସର ପରାଜୟର ଏକ ବଡ଼ କାରଣ ଥିଲା। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏହି ପତ୍ରରେ ଗୁଲାମ ନବୀ ଆଜାଦ କଂଗ୍ରେସ ସହ ତାଙ୍କର ସମ୍ପର୍କ ଏବଂ ଗାନ୍ଧୀ ପରିବାରର ଅନେକ ପିଢିଙ୍କ ସହ କାର୍ଯ୍ୟ କରିବା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ମୁଁ ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀଙ୍କ ସହ କାମ କରିଥିଲି। ମୁଁ କଂଗ୍ରେସକୁ ନିଜ ଜୀବନର ୫୧ ବର୍ଷରୁ ଅଧିକ ସମୟ ଦେଇଛି, କିନ୍ତୁ ବର୍ତ୍ତମାନ ଭାବପ୍ରବଣ ହୃଦୟ ସହିତ ମୁଁ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି ଏବଂ ଦଳ ସହ ମୋର ସମସ୍ତ ସମ୍ପର୍କ ଚ୍ଛିନ୍ନ କରୁଛି।