ବେଆଇନ ଅର୍ଥ କାରବାର ମାମଲା କଂଗ୍ରେସ ନେତା ଡି.କେ. ଶିବକୁମାର ଗିରଫ

କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ମନି ଲଣ୍ଡରିଂ କେସରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି । ତେବେ ଗିରଫ ହେବା ପରେ ଗତକାଲି ରାତ୍ରରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତି କରାଯାଇଛି । ମେଡିକାଲ ଯାଂଚରେ ତାଙ୍କର ବ୍ଲଡ ପ୍ରେସର ବହୁତ ଅଧିକ ଥିବା ଜଣାପଡିଥିଲା । ଏହାପରେ ରାତ୍ର ୧.୪୫ରେ ତାଙ୍କୁ ଲୋହିଆ ହସ୍ପିଟାଲର ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟର ମୁଖ୍ୟାଳୟକୁ ନିଆଯିବ ।

ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଥିଲା। ଇଡି ଚାରି ଦିନର ପଚରା ଉଚୁରା ପରେ ଶିବକୁମାରଙ୍କୁ ଗିରଫ କରିଛି। ମନି ଲଣ୍ଡ୍ରିଂ ମାମଲାରେ ଇଡି ଶିବକୁମାରଙ୍କୁ ଚାରି ଦିନ ଧରି ଜେରା କରୁଥିଲା। ଏହା ପୂର୍ବରୁ ତଦନ୍ତ ଅଧିକାରୀ ଶୁକ୍ରବାର ଶିବକୁମାରଙ୍କୁ ଚାରି ଘଣ୍ଟା ଓ ଶନିବାର ଆଠ ଘଣ୍ଟା ଧରି ଜେରା କରିଥିଲେ। ଉଲ୍ଲେଖଯୋଗ୍ୟ ଆଇଏନଏକ୍ସ ମିଡିଆ କେସରେ କଂଗ୍ରେସର ଅନ୍ୟ ଏକ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ସିବିଆଇ ହେପାଜତରେ ଅଛନ୍ତି। ଏହା ମଧ୍ୟରେ କଂଗ୍ରେସ ଶିବକୁମାରଙ୍କ ଗିରଫଦାରୀକୁ ନିନ୍ଦା କରିଛି। କଂଗ୍ରେସର କହିବା କଥା ସରକାର ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି କାର‌୍ୟ୍ୟାନୁଷ୍ଠାନ ନେଉଛି।

Related Posts