
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶଦ୍ରୋହ ଆଇନ ଉପରେ ଗତକାଲି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ସେ କୋର୍ଟ ଏବଂ ଏହାର ସ୍ୱାଧୀନତାକୁ ସେ ସମ୍ମାନ କରନ୍ତି । କିନ୍ତୁ ଗୋଟିଏ ଲକ୍ଷ୍ମଣ ରେଖା ଅଛି ଯାହାକୁ ପାର କରାଯାଇପାରିବ ନାହିଁ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ ସତ୍ୟ କହିବା ଦେଶଭକ୍ତି ଅଟେ, ଦେଶଦ୍ରୋହ ନୁହେଁ । ସତ୍ୟ କହିବା ଦେଶଭକ୍ତି, ଦେଶଦ୍ରୋହ ନୁହେଁ । ସତ୍ୟ ଶୁଣିବା ହେଉଛି ରାଜଧର୍ମ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ରାହୁଲଙ୍କ ଏହି ଟ୍ୱିଟକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । କିରେନ ରିଜିଜୁ କଂଗ୍ରେସ ନେତାଙ୍କ କଥାକୁ ଭିତ୍ତିହୀନ ବୋଲି କହିଛନ୍ତି। ରିଜିଜୁ କହିଛନ୍ତି, “ଯଦି ଗୋଟିଏ ଦଳ ଅଛି, ଯାହା ସ୍ୱାଧୀନତା, ଗଣତନ୍ତ୍ର ଏବଂ ଅନୁଷ୍ଠାନ ପ୍ରତି ସମ୍ମାନର ବିରୋଧ କରେ, ତେବେ ଏହା ହେଉଛି କଂଗ୍ରେସ।
ସେ କହିଛନ୍ତି ଯେ କଂଗ୍ରେସ ସର୍ବଦା ଭାରତକୁ ଭାଙ୍ଗୁଥିବା ଶକ୍ତି ସହିତ ଛିଡ଼ା ହୋଇଛି। ସେ ଭାରତକୁ ବିଭାଜନ କରିବାର କୌଣସି ସୁଯୋଗ ଛାଡି ନାହାଁନ୍ତି ବୋଲି କହିଛନ୍ତି । ବିଜେପି ସରକାରଙ୍କୁ ପ୍ରଶଂସା କରି କିରେନ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ସର୍ବଦା ଭାରତର ଏକତା, ଅଖଣ୍ଡତା ଏବଂ ସାର୍ବଭୈମତ୍ତ୍ୱ ରକ୍ଷା କରିବ। ଏହା ମଧ୍ୟ ଆମ ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧକୁ ସୁରକ୍ଷା ଦେବ । ସେ ଲେଖିଛନ୍ତି ଯେ କଂଗ୍ରେସ ଦଳର ଇକୋ-ସିଷ୍ଟମ ଏବଂ ଏହାର ଟୁକଡେ-ଟୁକଡେ ଗ୍ୟାଙ୍ଗର ଅନ୍ୟମାନଙ୍କୁ ପ୍ରଚାର କରିବାର କୌଣସି ଅଧିକାର ନାହିଁ ବୋଲି ଆଇନମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।