ପ୍ରତାପଙ୍କ ତୈଳାକ୍ତ ମୋଦି ବନ୍ଦନାକୁ ଶକ୍ତ ଚାପୁଡା

ସତ୍ୟପାଠ ବ୍ୟୁରୋ : ସତ୍ୟପାଠ ବ୍ୟୁରୋ : ପ୍ରତାପଙ୍କ ଏକ ଘଂଟାର ଭାଷଣରେ ଗଣମାଧ୍ୟମ ପ୍ରଶଂସାରେ ଶତମୁଖ । ଚାରିଆଡେ ଷଢ଼ଙ୍ଗୀଙ୍କୁ ଭୁରି ଭୁରି ପ୍ରଶଂସା । ହେଲେ ତାଙ୍କର ଏହି ଭାଷଣ କେବଳ ସିମୀତ ଥିଲା ମୋଦି ବନ୍ଦନାରେ । ତେବେ ସଂସଦରେ ଷଢ଼ଙ୍ଗୀଙ୍କ ତୈଳାକ୍ତ ବନ୍ଦନାକୁ ସଫା କରି ଦେଇଛନ୍ତି କଂଗ୍ରେସ ନେତା ତଥା ସାଂସଦ ଅଧିର ରଂଜନ ।

ଏକ ଘଂଟାର ଓଜସ୍ୱିନୀ ଭାଷଣର ସାରାଂସ କେବଳ ମୋଦି ବନ୍ଦନା । ଏମିତି ତେଲ ମାରିଲେ ଯେ, ସ୍ୱାମୀ ବିବେକାନନ୍ଦଙ୍କ ସହ ମୋଦିଙ୍କୁ ତୁଳନା କରିବାକୁ ଭୁଲିଲେନି । ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କର ଏଭଳି ତେଲି ରୂପ ଦେଖି ପୁରା ସଂସଦ ହତବାକ୍ ହୋଇପଡିଥିଲା । ପ୍ରତାପଙ୍କ ଭାଷଣରେ ନା ଥିଲା ଶିକ୍ଷାନୀତି ଉପରେ ଟିପ୍ପଣୀ, ନା ସମାଜ ଶାସ୍ତ୍ର, ନା ବିଦେଶ ନୀତି ନା ଅର୍ଥନୀତି । କେବଳ ମୋଦିଙ୍କୁ ତୁଷ୍ଟ ଓ ପ୍ରଭାବିତ କରିବା ପାଇଁ ଗୀତା, ଭାଗବତ, ରାମାୟଣ, ବେଦ ଓ ଉପନିଷଦ ଶ୍ଲୋକର ଅବତାରଣା କରିଥିଲେ । ହେଲେ ପ୍ରତାପଙ୍କ ମୋଦି ବନ୍ଦନାକୁ ଶକ୍ତ ଚାପୁଡା ମାରିଛନ୍ତି କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ । ଦେଶ ପାଇଁ କଂଗ୍ରେସ କଣ କରିଛି ତାହାର ଏକ ଲମ୍ବା ତାଲିକା ଧରାଇଛନ୍ତି ଅଧିର ରଂଜନ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ଦେଇଥିଲେ ଓଡିଆ ସାଂସଦ ପ୍ରତାପ ଷଢ଼ଙ୍ଗୀ । ପ୍ରଥମ ଓଡିଆ ସାଂସଦ ଭାବେ ୫ଟି ଭାଷାରେ ଏକ ଘଂଟାର ଲମ୍ବା ଭାଷଣ ଦେଇଥିଲେ ପ୍ରତାପ । କିନ୍ତୁ ଭାଷଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ସୁପ୍ରିମୋଙ୍କ ସ୍ତୁତି ଛଡା ଆଉ କିଛି ଯେମିତି ମିଳିଲାନି । ପ୍ରତାପଙ୍କ ଧନ୍ୟବାଦ ଭାଷଣର ପ୍ରତି ଧାଡିରେ ମୋଦିଙ୍କୁ ପ୍ରଶଂସା ଛଡା ଆଉ କିଛି ନଥିଲା । ଭାରତରେ ରହି କାହିଁକି ବନ୍ଦେ ମାତରମ୍ କୁହାଯିବନି ବୋଲି କହି ମୁଖିଆଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ ସେ । ବେଳେବେଳେ ଏମିତି କଥା କହୁଥିଲେ ଯେ, ଖୋଦ ପ୍ରଧାନମନ୍ତ୍ରୀ ବି ହସୁଥିଲେ । ଲାଗୁଥିଲା ଯେମିତି ମୋଦି ବି ଭାବୁଥିଲେ ଧନ୍ୟବାଦ ଭାଷଣରେ ପ୍ରତାପ କଣ ଏସବୁ କହୁଛନ୍ତି ?

ତେବେ ସାଂସଦ ଷଢ଼ଙ୍ଗୀଙ୍କ ମୋଦିସ୍ତୁତିର ଧଜିଆ ଉଡାଇଛନ୍ତି କଂଗ୍ରେସ ସାଂସଦ ଅଧିର ରଂଜନ । ନିଜ ନେତାଙ୍କ ସ୍ତୁତି କରିବା ଠିକ୍ କିନ୍ତୁ ତାହା ସୀମା ଡେଇଁଲେ ବେଇମାନୀ ଲାଗେ ବୋଲି କହିଛନ୍ତି ଅଧିର । ସ୍ୱାମୀ ବିବେକାନନ୍ଦଙ୍କ ସହ ମୋଦିଙ୍କ ତୁଳନା କରିବା ଅର୍ଥ ଗଙ୍ଗାକୁ ଗନ୍ଦୀ ନାଳି ସହ ତୁଳନା କରିବା ସହ ସମାନ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ବାରମ୍ବାର ଦୁର୍ନୀତିରେ ରାହୁଲ ଗାନ୍ଧୀ ଓ ସୋନିଆଙ୍କ ନାଁ ନେଉଥିବା ବିଜେପି ନିଜର ୫ବର୍ଷର ଶାସନ କାଳରେ ସେମାନଙ୍କୁ କାହିଁକି ଗିରଫ କରି ପାରିନି ବୋଲି କହି ଶାସକ ଦଳକୁ ଛିଗୁଲାଇ ଥିଲେ ଅଧିର ।

ଓଡିଶାର ହିରାକୁଦ ଡ୍ୟାମ ଠାରୁ ନେଇ ଗୁଜୁରାଟର ସର୍ଦ୍ଦାର ସରୋବର ଡ୍ୟାମ ଯାଏ ଗୋଟି ଗୋଟି କରି ସବୁ ପ୍ରକଳ୍ପ ଓ ଯୋଜନାର ଧାରା ବିବରଣୀ ରଖିଥିଲେ ସାଂସଦ ଅଧିର ରଂଜନ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ଠୁ ନେଇ ଓଏନଜିସି, ଏନଟିପିସି, ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡ୍ , ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ହାଲ୍ କୁ କଂଗ୍ରେସ ତିଆରି କରିଛି କହି ପୁରା ସଂସଦକୁ ଚୁପ କରାଇଥିଲେ ଏହି କଂଗ୍ରେସ ସାଂସଦ । ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକାଳରେ କେତେ ପ୍ରକଳ୍ପ ତିଆରି କରିଛନ୍ତି ବୋଲି ପଚାରିବାକୁ ବି ଭୁଲି ନଥିଲେ ।

ଏପରିକି ଆଜି ଯେଉଁ ନ୍ୟୁକ୍ଲିୟର କଥା କହି ମୋଦିଜୀ ଅନ୍ୟମାନଙ୍କୁ ନିଜର ଶକ୍ତି ଦେଖାଉଛନ୍ତି, ଭାରତକୁ ସେହି ନ୍ୟୁକ୍ଲିୟର କିଏ ଆଣିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଶାସନ କାଳରେ ହିଁ ମିଶାଇଲ ପରୀକ୍ଷଣ ଠୁ ନେଇ ଅଗ୍ନୀ ପରୀକ୍ଷଣ ଯାଏ ସବୁକିଛି ହୋଇଥିବା ଅଧିର କହିଛନ୍ତି । ଶିକ୍ଷା, ଅର୍ଥନୀତି, ଟେଲିକମ୍, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଗମନାଗମନ ଭଳି ସବୁ ପ୍ରସଙ୍ଗ ଉଠାଇ କଂଗ୍ରେସର ଦେଶ ପାଇଁ ଅବଦାନ କଣ ତାହା ବୁଝାଇ ବିଜେପି ସାଂସଦଙ୍କ ମୁହଁ ବନ୍ଦ କରିଛନ୍ତି ଏହି କଂଗ୍ରେସ ସାଂସଦ ।

Related Posts