କଂଗ୍ରେସ ପାନ୍‌ ଓଡ଼ିଶା ପ୍ଲାନ୍‌:2 ମାସରେ ରାହୁଲ 6 ଥର ଓ ପ୍ରିୟଙ୍କା 2 ଥର ଆସିବେ ଓଡ଼ିଶା

ଓଡ଼ିଶାକୁ ପ୍ରଚାରରେ ଆସିବେ କଂଗ୍ରେସର ଚାରି ମୁଖ୍ୟମନ୍ତ୍ରୀ ଓ ହେଭିୱେଟ୍‌

ଲଢ଼େଇ ହେଉଛି ଦିଲ୍ଲୀ ଗାଦି ଦଖଲ ପାଇଁ । କିନ୍ତୁ ରଣଭୂମି ପାଲଟିଛି ଓଡ଼ିଶା । ଆଜ୍ଞା ହଁ ମିଶନ 2019 ପାଇଁ ଓଡ଼ିଶା ହିଁ ପାଲଟିଛି ଦୁଇ ପ୍ରମୁଖ ଜାତୀୟ ଦଳଙ୍କ ଫୋକସ୍‌ ପଏଣ୍ଟ । ପୂର୍ବୋଦୟ ଯୋଜନା ଆଧାରରେ ବିଜେପି ବେଶ୍‌ ପୂର୍ବରୁ ଆରମ୍ଭ କରିଦେଇଥିଲା ପ୍ରସ୍ତୁତି । କିନ୍ତୁ ବିଳମ୍ବରେ ହେଲେ ବି କଂଗ୍ରେସ ଆରମ୍ଭ କରିଦେଇଛି ଓଡ଼ିଶା ଅଭିଯାନ ।

ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ, ରାଜ୍ୟର ସବୁ ଅଂଶକୁ ବିସ୍ତାର କରିବ ହାତ । ଏଥିପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ପାନ୍‌ ଓଡ଼ିଶା ପ୍ଲାନ୍‌ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ୨ ମାସରେ ୬ ଥର । ପ୍ରିୟଙ୍କା ଗାନ୍ଧି ୨ ଥର । ପଞ୍ଜାବ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏମାନେ ବି ଆସିବେ ଓଡ଼ିଶା । ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ । ରାଜ୍ୟର ସବୁ ଭାଗରେ ହାତର ଅଭିଯାନ । ଆଉ ଏଥିପାଇଁ ଆସିବେ ବହୁ ଜାତୀୟ ସ୍ତରର ହେଭିୱେଟ୍‌ ନେତା ।

ପ୍ରିୟଙ୍କା ଗାନ୍ଧିଙ୍କ ଡାଇରେକ୍ଟ ପଲିଟିକ୍ସରେ ଏଣ୍ଟ୍ରି କଂଗ୍ରେସ କର୍ମୀଙ୍କ ଭିତରେ ଭରିଛି ନୂଆ ଉତ୍ସାହ । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକୁ ଟାର୍ଗେଟ୍‌ କରୁଛି ଦଳ । ୨ ମାସ ଭିତରେ ଓଡ଼ିଶା ଗସ୍ତରେ ରାହୁଲ ୬ ଥର ଓ ପ୍ରିୟଙ୍କା ଆସିବେ ୨ ଥର ।

ଭୁବନେଶ୍ବର ପରେ କଳାହାଣ୍ଡି ଓ ସୁନ୍ଦରଗଡ଼ ଆସିବେ ରାହୁଲ ଗାନ୍ଧି । ଭବାନୀ ପାଟଣା ଓ ରାଉରକେଲାରେ କରିବେ ଜନସଭା । ପରେ ପ୍ରିୟଙ୍କା ଆସିବେ କୋରାପୁଟ ଓ ମୟୁରଭଂଜ । ଏମାନଙ୍କ ପଛକୁ ପଛ ଅଛନ୍ତି କଂଗ୍ରେସର ତାରକା ପ୍ରଚାରକ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ୍‌ ପାଇଲଟ ଓ ନବଜୋତ ସିଂ ସିଦ୍ଧୁ ।

କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବି ଆସିବେ ଓଡିଶା । ଉପକୂଳ ଓଡ଼ିଶାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ପଶ୍ଚିମ ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦକ୍ଷିଣ ଓଡ଼ିଶାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ଉତ୍ତର ଓଡିଶାରେ ପ୍ରଚାର ପାଇଁ ଆସିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହେଲଟ ।

Related Posts