ଫଇସଲା ନହେବା ଯାଏ NO ସାମ୍ନାସାମ୍ନି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଏବେ ସୋସିଆଲ ମିଡିଆରେ ଗୋଟିଏ କଥା ଭାଇରାଲ ହେଉଛି ତାହା ହେଲା ନିରଞ୍ଜନ-ମୋକିମଙ୍କ ଶୀତଳ ଯୁଦ୍ଧ । ମୋକିମ-ନିରଞ୍ଜନ ଆଉ ମୁହାଁମୁହିଁ ହେଉନାହାନ୍ତି । ମୋକିମ ଯେଉଁଠିକି ଯାଉଛନ୍ତି ଆଉ ଯେଉଁଠି ବସୁଛନ୍ତି ସେଠି ନିରଞ୍ଜନ ରହୁନାହାନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇ ଏବେ କଂଗ୍ରେସ ରାଜନୀତି ଚର୍ଚ୍ଚାରେ ।

ପିସିସି ମୁଖିଆ ମୋକିମଙ୍କ ନାଁ ଶୁଣିଲେ ଚେଇଁକି ଉଠୁଥିବା ବେଳେ ମୋକିମଙ୍କ ସମର୍ଥକ ନିରଞ୍ଜନଙ୍କୁ ବିଭିନ୍ନ ଜାଗାରେ ବିରୋଧ କରୁଛନ୍ତି । ଯଦିଓ ମୋକିମ କିମ୍ବା ନରଞ୍ଜନ କେବେ ଉଭୟଙ୍କ ବିରୋଧରେ ଖୁଲମଖୁଲା ସମାଲୋଚନା କରୁନାହାନ୍ତି । ତଥାପି ମୋକିମଙ୍କ ବିଷୟରେ ପ୍ରଶ୍ନ କଲେ ନିରଞ୍ଜନ କିନ୍ତୁ ସାମ୍ବାଦିକଙ୍କୁ ନାଲିଆଖି ଦେଖାଇବାକୁ ଭୁଲୁନାହାନ୍ତି । କିଛି ଦିନ ତଳେ ମୋକିମଙ୍କ ନେତୃତ୍ବରେ କଂଗ୍ରେସ ଆଗକୁ ଯାଇପାରିବ କି ନାହିଁ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଯାଇ Don’t Ask This is Our internal affairs ବୋଲି କହିଥିଲେ ନିରଞ୍ଜନ ।

ସେପଟେ ବଜେଟ ପୂର୍ବରୁ ଗତକାଲି ନରସିଂହ ମିଶ୍ରଙ୍କ ଘରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ସେଠାରେ ସବୁ ବିଧାୟକ ଉପସ୍ଥିତି ଥିଲେ, କିନ୍ତୁ ଦେଖା ନଥିଲା ପଟ୍ଟନାୟକ ସାର୍‌ଙ୍କର । ଯଦିଓ ପିସିସି ମୁଖିଆ ଭାବେ କାଲିର ବୈଠକରେ ତାଙ୍କର ଉପସ୍ଥିତି ଆବଶ୍ୟକ ଥିଲା କିନ୍ତୁ ନିରଞ୍ଜନ ସେଠାକୁ ଯାଇନଥିଲେ । କାରଣ ଥିଲା କେବଳ ମହମ୍ମଦ ମୋକିମଙ୍କର ଉପସ୍ଥିତି । ତେଣୁ କୁହାଯାଉଛି ମୋକିମଙ୍କୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢ଼ୁଥିବାରୁ ପଟ୍ଟନାୟକ ବାବୁ କୁଆଡ଼େ ତାଙ୍କ ଉପରେ ଖପ୍ପା ଅଛନ୍ତି । ସାମ୍ନାକୁ ପ୍ରକାଶ ନକଲେ ବି ତାଙ୍କର ଆଚାର ବ୍ୟବହାର ଆଉ କାର୍ଯ୍ୟକଳାପ ଦର୍ଶାଉଛି ମୋକିମଙ୍କୁ ତାଙ୍କର ଜଣେ ଦୃଢ଼ ପ୍ରତିଦ୍ବନ୍ଦ୍ବୀ ବୋଲି ପଟ୍ଟନାୟକ ଭାବିସାରିଛନ୍ତି । ତେଣୁ ଏବେ ଫଇସଲା ନହେବା ଯାଏ ବୋଧେ ମୋକିମଙ୍କ ସହ ସାମ୍ନାସାମ୍ନି ହେବାକୁ ଚାହୁଁନାହାନ୍ତି ନିରଞ୍ଜନ ।

Related Posts