କଂଗ୍ରେସ ସଭାପତି ନିର୍ବାଚନ: କଂଗ୍ରେସ ଭବନରେ ଭୋଟ ଗ୍ରହଣ ଆରମ୍ଭ

ଭୁବନେଶ୍ବର: ଜାତୀୟ କଂଗ୍ରେସ ସଭାପତି ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ । ରାଜଧାନୀରେ ଥିବା କଂଗ୍ରେସ ଭବନରେ ମଧ୍ୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦଳର ୪୨୮ ଜଣ ପିସିସି ସଦସ୍ୟ ଓଡ଼ିଶାରୁ ଏଥିରେ ମତଦାନ କରିବେ। ତେବେ ମତଦାନ ପ୍ରକ୍ରିୟାରେ ଦଳ ଛାଡ଼ିଥିବା କେତେକ ନେତାଙ୍କ ନାଁ ଏହି ତାଲିକାରେ ଥିବା କୁହାଯାଉଛି। ସେମାନେ ଭୋଟ ଦେବେ ବୋଲି ଏଆଇସିସିରୁ ସେମାନଙ୍କ ପାଖକୁ ପରିଚୟ ପତ୍ର ଆସିଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏଭଳି କଥାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ କହିଛନ୍ତି, ଏଭଳି ଘଟଣାର ସତ୍ୟତା ନାହିଁ। ଏଠି ପିସିସି ଦଳ ଛାଡ଼ିଥିବା ନେତାଙ୍କୁ ପରିଚୟ ପତ୍ର ପ୍ରଦାନ କରିନି। ତେଣୁ ସେମାନେ ଭୋଟ ଦେବା କଥା ସଂପୂର୍ଣ୍ଣ ମିଥ୍ୟା।

ଉଲ୍ଲେଖଯୋଗ୍ୟ, ପରବର୍ତ୍ତୀ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ସୋମବାର ଭୋଟ୍‌ ଗ୍ରହଣ ହେଉଛି। ପୂର୍ବାହ୍ନ ୧୦ଟାରୁ ୪ଟା ମଧ୍ୟରେ ସାରା ଦେଶରେ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା ହୋଇଛି। ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି, ଏଆଇସିସିର ସମସ୍ତ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକମାନେ ଜାତୀୟ ରାଜଧାନୀରେ ୨୪, ଆକବର ରୋଡ୍‌ସ୍ଥିତ ଦଳ ମୁଖ୍ୟାଳୟରେ ଭୋଟ ଦେବା ସମ୍ଭାବନା ଅଛି।

ଦିଲ୍ଲୀ ମୁଖ୍ୟାଳୟ ଛଡ଼ା ସମସ୍ତ ରାଜ୍ୟର ପିସିସି କାର୍ଯ୍ୟାଳୟରେ ମଧ୍ୟ ଭୋଟଗ୍ରହଣ ହେଉଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ (ସିଇଏ) ସଦସ୍ୟଙ୍କ କହିବା ଅନୁସାରେ ଦେଶରେ ମୋଟ ୩୬ଟି ପୋଲିଂ ଷ୍ଟେସନ ଓ ୬୭ଟି ବୁଥ୍ କରାଯାଇଛି। ପ୍ରତି ୨୦୦ ଭୋଟରଙ୍କ ପାଇଁ ଗୋଟିଏ ଲେଖାଏ ବୁଥ୍ କରାଯାଇଛି। ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାରୁ ସେଥିରେ ସାମିଲ ଥିବା ପ୍ରାୟ ୪୭ ଜଣଙ୍କ ପାଇଁ ସେଠାରେ ଭୋଟ ଦେବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Related Posts