ନବୀନ ବାବୁ ମହିଳାଙ୍କୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ : କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମହିଳା ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ସରକାରଙ୍କ ମାଆକୁ ସମ୍ମାନ ନାରା କିଭଳି ଏକ ତାମ୍‌ସା ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ଏହା ସହ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି କଂଗ୍ରେସ ।

ଦେଶରେ ପ୍ରତି ୧୫ ମିନିଟ୍‌ରେ ଜଣେ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ଓଡ଼ିଶାରେ ପ୍ରତିଦିନ ୮ ଜଣ ମହିଳା ଓ ନାବାଳିକା ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଅସଦାଚରଣ ଶିକାର ହେଉଛନ୍ତି । ଏହା ଓଡ଼ିଶାକୁ ବଳାତ୍କାରୀ ରାଜ୍ୟରେ ପରିଣତ କରିବାରେ ଲାଗିଛି । ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମହିଳା ହିଂସାକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଶାସକ ଦଳର ମୁଖପାତ୍ରମାନେ ବିରୋଧୀଙ୍କୁ ଏନେଇ ରାଜନୀତି ନକରିବାକୁ ଅନୁରୋଧ କରୁଛନ୍ତି । ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ଅପାରଗତାକୁ ପଦାରେ ପକାଇଛି ।

ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅସଦାଚରଣ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ପୁରୀ ଗଣଦୁଷ୍କର୍ମ ଘଟଣା ପରେ ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ, କାକଟପୁର ଥାନା ଅନ୍ତର୍ଗତ ବାଉରିଆକଣ ଗାଁର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା, ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନ ଅନ୍ତର୍ଗତ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବାଙ୍କୀରେ ନାବାଳିକାକୁ ଅପହରଣ, କୋରାପୁଟ ଜିଲ୍ଲା ଜୟପୁର ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ଅନ୍ତସତ୍ତ୍ୱା ହେବା ପ୍ରସଙ୍ଗ, ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକାଙ୍କୁ ପୁଲିସ ପ୍ରଶାସନ ନ୍ୟାୟ ନଦେବାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ଶାସକ ବିଜେଡି ଦଳର ସଂପୃକ୍ତିରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କର ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ, ରାଉରକେଲାର ନାବାଳିକାକୁ ଅସଦାଚରଣ, ପୁରୀର ନାବାଳିକାକୁ ଗଣଦୁଷ୍କର୍ମ ଓ ଶେଷରେ ଭୁବନେଶ୍ୱରରେ ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଆର.ରଞ୍ଜିତା ରାଓଙ୍କ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ହେବା ଦ୍ୱାରା ମାନସିକ ଚାପ ହେଉ କିମ୍ବା ଅନ୍ୟ ଯେକୌଣସି ସଙ୍ଗୀନ କାରଣ ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ହେଉ ଏବେ ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ ସ୍ଲୋଗାନର ପାରିବାପଣିଆକୁ ପଦାରେ ପକାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହିଳା ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟବାସୀଙ୍କୁ ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି ସତ୍ୟ ପ୍ରକାଶ ।

ବିଧାନସଭା ଅଧିବେଶନ ବହୁ ପୂର୍ବରୁ ବନ୍ଦ କରି ସଂସଦୀୟ ଗଣତନ୍ତ୍ର ପରମ୍ପରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ମହିଳାଙ୍କ ସୁରକ୍ଷା, ନିରାପତ୍ତା,ସମ୍ମାନ ଓ ସ୍ୱାଭିମାନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏସବୁ ପ୍ରସଙ୍ଗରେ ଆଲୋଚନା କରନ୍ତୁ। ଦୋଷୀଙ୍କୁ କଠୋର ଦଣ୍ଡ ସହ ଏନେଇ ଶ୍ୱେତପତ୍ର ଜାରି କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି । ଆବଶ୍ୟକ ହେଲେ ସବୁ ଦଳର ମୁଖ୍ୟଙ୍କ ବୈଠକ ଡାକି ମହିଳା ବିରୋଧୀ ହିଂସା କିଭଳି ରୋକାଯାଇ ପାରିବ ତା’ର ବାଟ ବାହାର କରନ୍ତୁ । ପୂର୍ବରୁ ସଂଗଠିତ କୁନ୍ଦୁଲି, ଭେଡେନ, ନିହାରିକା, ବେବିନା ଓ ଇତିଶ୍ରୀ ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭି ନଥିବାବେଳେ ଏବେ ଘଟୁଥିବା ଅପରାଧଗୁଡ଼ିକ ଘଟଣାଗୁଡିକ ସନ୍ଦେହକୁ ଆହୁରି ବୃଦ୍ଧି କରୁଛି । ରାଜ୍ୟ ସରକାର ତୁରନ୍ତ ମହିଳା ହିଂସା ରୋକିବା ଦିଗରେ କଠୋର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

Related Posts