ରାଜ୍ୟରେ OBC, SEBC ବର୍ଗର ଲୋକଙ୍କୁ ଘୃଣା କରନ୍ତି ନବୀନ: କଂଗ୍ରେସ

୨୦୦୬ ରୁ ଓବିସି କମିଶନଙ୍କୁ ଅଚଳ କରି ରଖିଛନ୍ତି ରାଜ୍ୟ ସରକାର
୨୦୧୧ ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏଯାଏଁ ପାଳନ କରିନାହାନ୍ତି ସରକାର
୨୦୧୨ ରେ ସରକାର କମିଶନ ଗଠନ ନେଇ ହାଇକୋର୍ଟକୁ ମିଛ ମଧ୍ୟ କହିଛନ୍ତି ସରକାର

ଜାନୁଆରୀ ୨୦୨୦ ର ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅର୍ଥାତ୍ ୨୦୨୧ ରେ ହେବାକୁ ଥିବା ଜନଗଣନା ସମୟରେ OBC ଓ SEBC ସ୍ୱତନ୍ତ୍ର ଭାବରେ ଏମାନଙ୍କୁ ଗଣନା କରିବା ପାଇଁ କେନ୍ଦ୍ରକୁ ସୁପାରିଶ ଏକ ଧର୍ମକୁ ଆଖିଠାର ସଦୃଶ । ବାସ୍ତବତା ହେଉଛି ରାଜ୍ୟରେ ଓବିସି ଓ ଏସ୍ସିବିସି ବର୍ଗର ଲୋକଙ୍କୁ ଘୃଣା କରୁଛନ୍ତି ନବୀନ ପଟ୍ଟନାୟକ ବୋଲି ତଥ୍ୟ ପ୍ରମାଣ ସହିତ ଅଭିଯୋଗ ଆଣିଛି କଂଗ୍ରେସ ।

ପ୍ରକାଶଯୋଗ୍ୟ ଯେ ୨୦୦୬ରୁ ସମସ୍ତ ନୀତି ନିୟମ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଘଂନ କରି ଓବିସି କମିଶନଙ୍କୁ ଅଚଳ କରିବା, ୨୦୧୧ ମସିହାରେ ଓବିସି କମିଶନ ପୁର୍ନଗଠନ କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ଘଟଣାରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ OBC ଓ SEBCଙ୍କ ପ୍ରତି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ୨୦୧୨ ମସିହାରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି ଓବିିସି କମିଶନ ପୁର୍ନଗଠନ ପାଇଁ ୬ ମାସ ସମୟ ଲୋଡିଥିଲେ । ୬ ମାସ ପରିବର୍ତେ ୮ ବର୍ଷ ବିତି ଯାଇଥିଲେ ମଧ୍ୟ କମିଶନ ତ ଦୂରର କଥା କେବେ ଓବିସିମାନଙ୍କ ପାଇଁ ସାମାନ୍ୟତମ ଚିନ୍ତା ମଧ୍ୟ କରିନାହାନ୍ତି । ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ୨୦ ବର୍ଷ ହେଲା ଶୋଇଥିବା ସରକାର ହଠାତ୍ ଭୋଟ ରାଜନୀତି ପାଇଁ OBC ଓ SEBCଙ୍କ ପାଇଁ ଚିହିଁକି ଉଠିବା କୁମ୍ଭୀରକାନ୍ଦଣା ସଦୃଶ ।

ଯଦି ଏତେ ଦରଦ ଥିଲା କ’ଣ ପାଇଁ ୨୦୦୬ ମସିହାରେ ଓବିସି କମିଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ । ୨୦୧୧ ମସିହା ରେ ଉଚ୍ଚ ନ୍ୟାୟାଳୟଙ୍କ ସିଧା ନିର୍ଦ୍ଦେଶ ପରେ କ’ଣ ପାଇଁ ରାଜ୍ୟ ସରକାର ଓବିସି କମିଶନ ଗଠନ କରିବା ପରିବର୍ତେ ସମୟ ନେବା ବାହାନାରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଦେବେନ୍ଦ୍ର ମଲ୍ଲିକ, ଦୀପକ ମହାପାତ୍ର, ନରେଶ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।

Related Posts