
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍ରେ ହରିୟାଣାକୁ 1 ୱିକେଟରେ ହରାଇଲା ଓଡ଼ିଶା । 179 ରନ୍ର ଟାର୍କେଟକୁ 9 ୱିକେଟ୍ରେ ହାସଲ କଲା ଓଡ଼ିଶା ଟିମ୍ । ମ୍ୟାଚ୍ରେ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 11ଟି ୱିକେଟ ନେଇଛନ୍ତି । ପ୍ରଥମ ପାଳିରେ 6ଟି ୱିକେଟ ନେଇଥିବା ବେଳେ ଦ୍ବିତୀୟ ପାଳିରେ 5ଟି ୱିକେଟ ହାସଲ କରିଥିଲେ ସୂର୍ଯ୍ୟକାନ୍ତ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ହରିୟାଣା । ଓଡ଼ିଶା ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ପ୍ରଥମ ପାଳିରେ ମାତ୍ର 90 ରନ୍ରେ ଦଳ ଅଲଆଉଟ ହୋଇଯାଇଥିଲା । ଏହା ପରେ ବିପ୍ଳବ ସାମନ୍ତରାୟଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଓଡ଼ିଶା ଟିମ୍ 160 ରନ କରିପାରିଥିଲା । ଦ୍ବିତୀୟ ପାଳିରେ ସୂର୍ଯ୍ୟକାନ୍ତଙ୍କ ଘାତକ ବୋଲିଂ ପରେ ବି ହରିୟାଣା 248 ରନ୍ କରିଥିଲା । ବିଜୟ ପାଇଁ ଓଡ଼ିଶା ଆଗରେ ରହିଥିଲା 179 ରନ୍ ଟାର୍ଗେଟ । ପ୍ରଥମରୁ ଏହା ସହଜ ଲାଗୁଥିଲେ ବି କ୍ରମାଗତ ଭାବେ ଆଗଧାଡ଼ିର ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ପଡ଼ିବାରୁ ଏହା ଓଡ଼ିଶାର ଚିନ୍ତା ବଢ଼ାଇଥିଲା । ଗତକାଲି ବର୍ଷା ଯୋଗଁ ଖେଳ ବନ୍ଦ ରହିଥିଲା । ତେବେ ଓଡ଼ିଶାକୁ ବିଜୟ ପାଇଁ ମାତ୍ର 32 ରନ୍ର ଆବଶ୍ୟକ ଥିବା ବେଳେ ଓଡ଼ିଶା ହରାଇଥିଲା 7ଟି ୱିକେଟ । ଯାହା ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ମନରେ ବିଜୟ ନେଇ ଏକ ଆଶଙ୍କା ସୃଷ୍ଟି କରିଥିଲା । ଶେଷରେ ପ୍ରଥମ ପାଳି ଭଳି ରାଜେଶ ମହାନ୍ତିଙ୍କ ଧର୍ଯ୍ୟପୂର୍ଣ୍ଣ 21 ରନ ବଳରେ ଓଡ଼ିଶା ଟିମ୍ ହରିୟାଣାକୁ ଏକ ୱିକେଟ୍ରେ ହରାଇ 6 ପଏଣ୍ଟ ହାସଲ କରିଛି । ଚଳିତ ବର୍ଷ ରଣଜୀ ଟ୍ରଫିରେ ଲଗାତର ଦୁଇଟି ମ୍ୟାଚ୍ ଜିତିବା ସହ ରଣଜୀ ତାଲିକା ଟେବୁଲରେ ମଜଭୂତ ସ୍ଥିତିରେ ଓଡ଼ିଶା ଦଳ ରହିଛି ।