ଧର୍ମେନ୍ଦ୍ର ଆଉଟ୍‌-ଅପରାଜିତା ଇନ୍ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ଖସାଇବାକୁ ଯୋଜନା । ଦଳରେ ଆଉ ଧର୍ମେନ୍ଦ୍ର ନୁହେଁ ଏବେ ଅପରାଜିତାଙ୍କୁ ଦିଆଯିବ ଗୁରୁତ୍ବ । ଏନେଇ ପ୍ରୟାସ ଆରମ୍ଭ ହୋଇଛି । ଏହା ପଛରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି କେନ୍ଦ୍ରୀୟ ସଂଗଠନ ଯାଏ ସମସ୍ତଙ୍କର ସମର୍ଥନ ଥିବା କୁହାଯାଉଛି ।

ଧର୍ମେନ୍ଦ୍ରଙ୍କ ପତିଆରାକୁ ଖସାଇବାକୁ ଯୋଜନା

ବିଜେଡିକୁ ଚେକ୍‌ ଦେବାକୁ 2ଟି ଅଣରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଚେକ୍‌ ଦେବାକୁ ‘ଅଜିତା’ ଏବଂ ବିଜୁ ଯୁବ ବାହିନୀକୁ ଟକ୍କର ଦେବ ‘ୟୁଥ୍ ଫର ଆକ୍ସନ୍’ । ଦୁଇଟିଯାକର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ଅଣରାଜନୈତିକ ପ୍ଲାଟଫର୍ମ ବୋଲି ଦାବି କରାଯାଉଥିଲେ ମଧ୍ୟ ପ୍ରଚ୍ଛଦରେ ଏହା ବିଜେପିର ଛାମୁଆ ସଂଗଠନ ବୋଲି କୁହାଯାଉଛି । ବିଜେଡ଼ିର ‘ମିଶନ ଶକ୍ତି’ ଏବଂ ‘ବିଜୁ ଯୁବ ବାହିନୀ’କୁ ଟକ୍କର ଦେବା ସହ ମହିଳା ଓ ଯୁବ ଭୋଟବ୍ୟାଙ୍କକୁ ବିଜେପି ସପକ୍ଷରେ ହାତେଇବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଦୁଇଟିଯାକ କାର୍ଯ୍ୟକ୍ରମରେ ପ୍ରଧାନ ବାବୁ ସାମିଲ ନହେବା ତାଙ୍କ ପରିଆରା କମୁଥିବା ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି । ଗତକାଲି ‘ୟୁଥ୍ ଫର ଆକ୍ସନ’ ଶୁଭାରମ୍ଭ କାର୍ଯ୍ୟକ୍ରମ ବେଳେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ଥିଲେ ବି ତାଙ୍କୁ ସେଠି ଦେଖିବାକୁ ମିଳିନଥିଲା । ଅପରାଜିତା ତାଙ୍କୁ ଆମନ୍ତ୍ରଣ କରିଥିଲେ ସେ ଗଲେନି ନା ଅପରାଜିତା ତାଙ୍କୁ ଆଦୌ ଆମନ୍ତ୍ରଣ କରିନଥିଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ଯଦି ଅପରାଜିତା ପ୍ରଧାନଙ୍କୁ ଡାକିନଥିବେ ତେବେ ବିଜେପିର କ୍ଷମତା କରିଡରରୁ ‘ଧର୍ମେନ୍ଦ୍ର ଆଉଟ ଏବଂ ଅପରାଜିତା ଇନ୍‌’ର ଚର୍ଚ୍ଚାରେ ମସଲା ପକାଇବା ଭଳି ହେବ ।

ସେପଟେ ‘ୟୁଥ୍ ଫର ଆକ୍ସନ’ କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ର ଯାଇନଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କିନ୍ତୁ ସେଠି ଅତିଥି ହୋଇ ଯାଇଥିଲେ । ଏପରିକି ବୈଜୟନ୍ତ କାର୍ଯ୍ୟକ୍ରମରେ ଯୋଗଦେବାରେ ବିଳମ୍ବ ହେବାରୁ ଅପରାଜିତା ବ୍ୟସ୍ତ ହୋଇପଡ଼ିଥିଲେ । ଉଭୟ ଅପରାଜିତା ଏବଂ ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ବିରୋଧୀ ବୋଲି ସମସ୍ତେ ଜାଣନ୍ତି । ତେଣୁ ଏହି ଘଟଣା ବୟାନ କରୁଛି ଯେ ବିଜେଡି ଭିତରେ କିଛି ଠିକ ଚାଲିନି । ବିଜେପିର କ୍ଷମତା କରିଡରରେ ରହିବାକୁ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଆଉ ଏଥିରେ ଅପରାଜିତାଙ୍କୁ ବୈଜୟନ୍ତ ସହଯୋଗ କରୁଥିବା କୁହାଯାଉଛି ।

ଦଳରେ ଅପରାଜିତାଙ୍କୁ ପ୍ରଧାନ ସହଜରେ ଗ୍ରହଣ କରିପାରୁନଥିବା କଥା ବହୁ ପୂର୍ବରୁ ରାଜ୍ୟବାସୀ ଜାଣଇଛନ୍ତି । ଯେବେ ସେ ବିଜେପିରେ ଯୋଗଦେଲେ ସେତେବେଳେ ସେ ଭୁବନେଶ୍ବରରେ ଥିବା ବିଜେପି କାର୍ଯ୍ୟାଳୟରେ ଦଳରେ ମିଶନ୍ତୁ ବୋଲି ଧର୍ମେନ୍ଦ୍ର ଚାହୁଁଥିବା ବେଳେ ଅପରାଜିତା କିନ୍ତୁ ଦିଲ୍ଲୀରେ ଅମିତ ଶାହଙ୍କ ଉପସ୍ଥିତିରେ ତାଙ୍କ ଘରେ ପଦ୍ମ ଧରିଥିଲେ । ଏହି ଘଟଣା ସ୍ପଷ୍ଟ କରିଥିଲା ଯେ ଧର୍ମେନ୍ଦ୍ରଙ୍କ ଅଣ୍ଡରରେ ରହିବାକୁ ଅପରାଜିତା ନାରାଜ । ଆଉ ସବୁ ବେଳେ ଅପରାଜିତାଙ୍କୁ ବି କେନ୍ଦ୍ରୀୟ ନେତା ସମର୍ଥନ କରୁଥିବା ସମସ୍ତେ ଜାଣନ୍ତି । ତେଣୁ ‘ୟୁଥ୍ ଫର ଆକ୍ସନ’ କାର୍ଯ୍ୟକ୍ରମକୁ ପ୍ରଧାନ ନଯିବା ପଛରେ ବା ଅପରାଜିତା ନଡାକିବା ପଛରେ କେନ୍ଦ୍ରୀୟ ନେତାଙ୍କ ସମର୍ଥନ ଥିବା କୁହାଯାଉଛି ।

ଧର୍ମେନ୍ଦ୍ରଙ୍କ ସହ ମଞ୍ଚ ବାଣ୍ଟିବାକୁ ଚାହୁଁନାହାନ୍ତି ଅପରାଜିତା !

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାରେ ଏବେ ଅପରାଜିତା ଷଡ଼ଙ୍ଗୀ ଦେଖିାଯାଉଥିବା ରାଜନୀତି ସମୀକ୍ଷକମାନେ କହିଛନ୍ତି । ଗତ ୫ ବର୍ଷ ଧରି ଯେଉଁ କାର୍ଯ୍ୟ ଧର୍ମେନ୍ଦ୍ର କରୁଥିଲେ ଏବେ ସେଭଳି କାର୍ଯ୍ୟ ଅପରାଜିତା କରୁଥିବା ଦେଖାଯାଉଛି । ଖାଲି ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଏହା ଏଇଥିପାଇଁ କୁହାଯାଉଛି କାରଣ ବିଜେପିର ଯେତେ ସବୁ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ବାବୁ ରହୁଛନ୍ତି ସେଠି ଅପରାଜିତାଙ୍କୁ ଦେଖିବାକୁ ମିଳୁନାହିଁ । ଆଉ ଅପରାଜିତା ଯେଉଁ କାର୍ଯ୍ୟକ୍ରମରେ ଲିଡ୍ କରୁଛନ୍ତି ସେଠି ଧର୍ମେନ୍ଦ୍ର ଅନୁପସ୍ଥିତ ରହୁଛନ୍ତି । ଏହାର ଏକମାତ୍ର କାରଣ ହୋଇପାରେ, ତାହା ହେଲା ଉଭୟ ନେତା ନିଜ ଭିତରେ ମଞ୍ଚ ବାଣ୍ଟିବାକୁ ଚାହୁଁନାହାନ୍ତି ।

‘ୟୁଥ୍ ଫର୍ ଆକ୍ସନ’ର ସଂଯୋଜକ ଦାୟିତ୍ୱ ଦେବାଶିଷ ନାୟକ ଓରଫ୍ ‘ବାପି ଜିମ’କୁ ଦେଇ ଅପରାଜିତା ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ ନାଲିଆଖି ଦେଖାଇଥିବା ଅନେକ କଟାକ୍ଷ କରିଛନ୍ତି । କାରଣ ଧର୍ମେନ୍ଦ୍ରଙ୍କ ଏକାନ୍ତ ଅନୁଗତ ତଥା ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ପ୍ରତିଦ୍ୱନ୍ଦୀ ଭାବେ ଦେବାଶିଷ ଏବେ ଜଣାଶୁଣା । ନିକଟରେ ହରେକୃଷ୍ଣଙ୍କୁ ସେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଅପରାଜିତାଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଥିବା ହରେକୃଷ୍ଣ ଅଭିଯୋଗ କରିଥିଲେ । ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା କରି ଅପରାଜିତା ନିଜସ୍ୱ ସଂଗଠନ ତିଆରି କରୁଥିବା ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ।

ଓଡ଼ିଶାରେ ବିଜେପିର ୮ ଜଣ ସାଂସଦ ଥିବା ବେଳେ ଭୁବନେଶ୍ୱର କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ଅପରାଜିତା ବିଭିନ୍ନ ଆଳରେ ସାରା ରାଜ୍ୟ ବୁଲୁଛନ୍ତି । କର୍ମୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରୁଛନ୍ତି । ଏବେ ଦୁଇ ଦୁଇଟି ପ୍ଲାଟଫର୍ମ ଜରିଆରେ ମହିଳା, ଯୁବକଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଅଫିସ ଇସାରାରେ ଅପରାଜିତା କାର୍ଯ୍ୟ କରୁଛନ୍ତି ।

ଅପରାଜିତାଙ୍କ ଖାସ୍ ଅନୁଗତ ମହଲର ଖବର ଅନୁସାରେ ଅପରାଜିତା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଇସାରାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅମିତ୍ ଶାହାଙ୍କ ମେଣ୍ଟର୍ ଧର୍ମେନ୍ଦ୍ରଙ୍କୁ ହାତରେ ନ ମାରି ଭାତରେ ମାରିବା ଯୋଜନା ହୋଇଛି । ଓଡ଼ିଶାରେ ଧର୍ମେନ୍ଦ୍ର ତାଙ୍କ ଯାଦୁ ଦେଖାଇବାରେ ବିଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଅପରାଜିତାଙ୍କୁ ଭରସା କରିଛନ୍ତି । ଉପରୁ ଆଶୀର୍ବଦ ପାଇ ଅପରାଜିତା ରାଜ୍ୟ ବୁଲୁଛନ୍ତି । ସଂଗଠନ ସଜାଡ଼ିବା ଉଦ୍ୟମରେ ଧର୍ମେନ୍ଦ୍ରଙ୍କ ବିରୋଧୀମାନଙ୍କୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି ।

ଏହାର ସତ୍ୟାସତ୍ୟ ଯାହା ହେଉ ନା କାହିଁକି, ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ଅପରାଜିତା ଯେ ଉଦ୍ୟମ କରୁଛନ୍ତି ତାହା ସମସ୍ତେ ଅନୁଭବ କଲେଣି । ଏହାକୁ ନେଇ ରାଜନୈତିକ ମହଲରେ ସରଗରମ ଚର୍ଚ୍ଚା ହେଉଛି ।

Related Posts