ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପରେ କର୍ମୀମାନଙ୍କୁ ଉତ୍ସବ କରିବାକୁ ମନା କଲା କଂଗ୍ରେସ; ଉତ୍ସବ ପରିବର୍ତ୍ତେ ଲତାଜିଙ୍କ ପାଇଁ ଶୋକପ୍ରକାଶ କର

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆଉ ମାତ୍ର କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । ହେଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବର୍ତ୍ତମାନ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହା ମଧ୍ୟରେ ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ କୌଣସି ପ୍ରକାରର ଉତ୍ସବ ନ କରିବାକୁ କଂଗ୍ରେସ ଦଳୀୟ କର୍ମୀଙ୍କୁ ମନାକରିଥିବାର ଖବର ସାମ୍ନାକୁ ଆସିଛି । କାହିଁକିନା ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେଶକରଙ୍କ ଆଜି ସକାଳେ ଦେହାନ୍ତ ଘଟିଛି । ତାଙ୍କର ଦେହାନ୍ତରେ ସାରା ଦେଶରେ ଦୁଃଖର ଲୋହାରୀ ଖେଳିଯାଇଛି । ଏସବୁ ମଧ୍ୟରେ ଉତ୍ସବ ନକରି ଲତାଜିଙ୍କୁ ଶ୍ରଦ୍ଧଞ୍ଜଳୀ ଦେବାକୁ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆଜି ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭର୍ଚୁଆଲ୍ ରାଲିରେ ସମ୍ବୋଧିତ କରି ଆଗାମୀ ମତଦାନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚୟନ ଘୋଷଣା କରିବେ ବୋଲି ସୂଚନା ମିଳିଛି । ସେପଟେ ଲତାଜୀଙ୍କର ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଟ୍ୱିଟରକୁ ଯାଇ ସମବେଦନା ଜଣାଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ “ବହୁ ଦଶନ୍ଧି ଧରି ଭାରତର ସବୁଠାରୁ ପ୍ରିୟ ସ୍ୱର” ରହିଆସିଛନ୍ତି ଏବଂ ତାଙ୍କର “ସୁବର୍ଣ୍ଣ ସ୍ୱର” ଅମର ଏବଂ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ପ୍ରତିଧ୍ୱନୀ ଜାରି ରଖିବେ।

Related Posts