ଗୁଜୁରାଟ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା; ଖଡଗେ, ସୋନିଆ ରାହୁଲ ପ୍ରମୁଖ କରିବେ ପ୍ରଚାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସଚ୍ଚିନ ପାଇଲଟ, ଜିଗ୍ନେଶ ମେବାଣୀ ଓ କହ୍ନେୟା କୁମାର ପ୍ରମୁଖଙ୍କ ନାମ ରହିଛି।

କଂଗ୍ରେସର ଏହି ଷ୍ଟାର ପ୍ରଚାରକ ସୂଚୀରେ ଦିଗବିଜୟ ସିଂହ, କମଲନାଥ, ପ୍ରଦେଶ କଂଗ୍ରେସ ସଭାପତି ଜଗଦୀଶ ଠାକୋର ଓ ପ୍ରଦେଶ ପ୍ରଭାରୀ ରଘୁ ଶର୍ମାଙ୍କ ନାମ ମଧ୍ୟ ରହିଛି। ଏହାଛଡା ରମେଶ ଚେନ୍ନିଥାଲା, ଭୂପିନ୍ଦର ସିଂହ ହୁଡ୍ଡା, ବି.କେ. ହରିପ୍ରସାଦ, ପବନ ଖେଡା, କାନ୍ତିଲାଲ ଭୂରିଆ ଆଦିଙ୍କ ନାମ ମଧ୍ୟ ଏହି ସୂଚୀରେ ରହିଛି।

ତେବେ ରାହୁଲ ଗାନ୍ଧି ଏବେ ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଛନ୍ତି। ଖାସ ଏହି କାରଣରୁ ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର କରିନଥିଲେ। ଏଣୁ ସେଠାରେ ପ୍ରିୟଙ୍କା ଗାନ୍ଧି ପ୍ରଚାର ଅଭିଯାନର ମଙ୍ଗ ସମ୍ଭାଳିଥିଲେ।

ସୂଚନାଯୋଗ୍ୟ ଯେ, ଗୁଜରାଟରେ ମୋଟ ୧୮୨ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ବେଳେ ଏଥିରେ ୮୯ଟି ଆସନ ଲାଗି ଭୋଟ ଗ୍ରହଣ ହେବ। ବଳକା ୯୩ ଟି ଆସନ ନିମନ୍ତେ ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ।

Related Posts