ଅତ୍ୟଧିକ ମିଡିଆ ଟ୍ରାଏଲ ଅଭିଯୋଗରେ ନୋଟିସ୍

ସତ୍ୟପାଠ ବ୍ୟୁରୋ : ୪ଟି ଗଣମାଧ୍ୟମକୁ ଲିଗାଲ ନୋଟିସ୍ । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଂଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ନିଜ ଓକିଲଙ୍କ ଜରିଆରେ ଏହି ଲିଗାଲ ନୋଟିସ ପଠାଇଛନ୍ତି । ଉକ୍ତ ଚାରିଟି ଗଣମାଧ୍ୟମ ସଂସ୍ଥା ହେଉଛ The New Indian ExpressSun Times Odishaodishabytes.com ଏବଂ Orissa Post । ଅତ୍ୟଧିକ ମିଡିଆ ଟ୍ରାଏଲ ପାଇଁ ତାଙ୍କ ସହ ଓ ତାଙ୍କ ପରିବାରର ମଧ୍ୟ ସମ୍ମାନ ହାନୀ ହୋଇଥିବା ଏହି ଲିଗାଲ ନୋଟିସରେ ଦର୍ଶାଯାଇଛି ।

ସୌଦାମିନୀ ମେହେର ଏହି ଲିଗାଲ ନୋଟିସରେ ଦର୍ଶାଇଛନ୍ତି ଯେ, ଉକ୍ତ ଘଟଣାରେ ପୁଂଜିଲାଲ କେବଳ ଜଣେ ଅଭିଯୁକ୍ତ । କିନ୍ତୁ ତାଙ୍କୁ ଗଣମାଧ୍ୟମରେ ଜଣେ ଦୋଷୀ ଭାବେ ଚିତ୍ରଣ କରାଯାଇଛି । ଯାହା ସାମ୍ବାଦିକତାର ବିରୁଦ୍ଧାଚରଣ । ଗଣମାଧ୍ୟମର ଏଭଳିି ଚିତ୍ରଣ ଦ୍ୱାରା ତାଙ୍କ ସମ୍ମାନରେ ଆଂଚ ଆସିଛି । ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ ଜାମିନ ମିଳୁନାହିଁ ଓ ସେ ଗତ ୧୪ ମାସ ଧରି ଜେଲରେ ରହିଛନ୍ତି । ତେଣୁ ଉକ୍ତ ଗଣମାଧ୍ୟମ ସଂସ୍ଥାମାନେ ଏନେଇ କ୍ଷମାପ୍ରାର୍ଥନା କରିବା ସହ ମାନହାନି ବାବଦକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ରାଶି ପ୍ରଦାନ କରିବାକୁ ନୋଟିସରେ କୁହାଯାଇଛି ।

ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା । ଏହି ଗିଫ୍ଟ ଖୋଲିବା ବେଳକୁ ତାହା ବିସ୍ଫୋରଣ ହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ । ଏପ୍ରିଲ ୨୫ରେ କ୍ରାଇମବ୍ରାଂଚ ଓ ଓଡିଶା ପୁଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୁଂଜିଲାଲଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ କ୍ରାଇମବ୍ରାଂଚ ରିମାଣ୍ଡରେ ନେଇଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା ।

Related Posts