‘ଅର୍ଥନୀତିକୁ ଗତିଶୀଳ କରିବା ଓ ବେକାରୀ ଦୂର କରିବାରେ ଅସମର୍ଥ ବଜେଟ୍‌’

ରାଜ୍ୟ ବଜେଟ୍‌କୁ ନେଇ କଂଗ୍ରେସର ଅଭିଯୋଗ; ‘ଋଣ କରିବାର ଲକ୍ଷ୍ମଣରେଖାକୁ ଡେଇଁ ସାରିଲେଣି ଓଡ଼ିଶା ସରକାର’

ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପରିବର୍ତ୍ତେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟ ସରକାର ନିର୍ବାଚନ ବୈତରଣୀ ପାର ହେବାକୁ ଏବଂ ଚାଷୀ, ନିମ୍ନ ମଧ୍ୟବିତ୍ତ ଚାଷୀ ଓ ଗ୍ରାମାଂଚଳର ବୟସ୍କ ବ୍ୟକ୍ତିଙ୍କ ଭୋଟକୁ ହାତେଇବା ପାଇଁ ଯେଉଁ ବଜେଟ୍‌ ବ୍ୟବସ୍ଥା କରିଛନ୍ତି, ତାହା ପ୍ରକୃତରେ ଚାଷୀଙ୍କର ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ଆଣିପାରିବ ନାହିଁ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଛନ୍ତିବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ।

ଚାଷୀଙ୍କ ଋଣଛାଡ଼, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ, କୃଷିଜାତ ଦ୍ରବ୍ୟକୁ କିଭଳି ଶୀତଳଭଣ୍ଡାରରେ ସଂରକ୍ଷଣ କରାଯିବ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ କୃଷିଶିଳ୍ପର ବିକାଶ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର ।

ତେଣୁ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କର ଭୋଟ ହାତେଇବା ଛଡା ତାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବଜେଟ୍‌ରେ କୌଣସି ଯୋଜନା କରିନାହାନ୍ତି । ରାଜ୍ୟର ନିଜସ୍ୱ ଆୟ କମିବାରେ ଲାଗିଛି । ଅନ୍ୟ ପଟେ ରାଜ୍ୟର ଋଣ ଭାର କ୍ରମାନ୍ୱୟରେ ବଢି ଚାଲିଛି । ୨୦୧୯-୨୦ ସୁଦ୍ଧା ରାଜ୍ୟର ଋଣ ଭାର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ, ଯାହାକି ରାଜ୍ୟର ସାମଗ୍ରିକ ଉତ୍ପାଦନ (ଜିଏସ୍‌ଡିପି) ୨୦.୨୫ ପ୍ରତିଶତ ହେବ । ରାଜ୍ୟ ସରକାର ଋଣ କରିବାର ଲକ୍ଷ୍ମଣରେଖାକୁ ଡେଇଁ ସାରିଲେଣି । ରାଜ୍ୟର ଋଣବୋଝ କ୍ରମାନ୍ୱୟରେ ବଢି ଚାଲିଛି ।

‘ପିଠା’ ଯୋଜନା ପାଇଁ ଯେଉଁ ୪ ଶହ କୋଟି ଟଙ୍କାର ଅନୁଦାନ ରଖାଯାଇଛି ଏହା ବୋଧହୁଏ ବିଜୁ ଜନତା ଦଳର ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର “ବିଜୁ ଯୁବ ବାହିନୀ” ପାଇଁ ରାଜ୍ୟ ରାଜକୋଷରୁ ୧୦୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ବ୍ୟୟ କରି ନିଜ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଏ ଯୋଜନା ।

ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ବିକାଶ, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସେଭଳି କିଛି ଅର୍ଥ ବ୍ୟୟ ବରାଦ କରିନାହାନ୍ତି । ତେଣୁ ରାଜ୍ୟ ସରକାର ଶିକ୍ଷିତ ଯୁବକମାନଙ୍କୁ ବର୍ଷ ବର୍ଷ ଧରି ଉପେକ୍ଷିତ କରୁଛନ୍ତି । ରାଜ୍ୟକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିପାରିବା ପାଇଁ ବଜେଟ୍‌ରେ ରାଜ୍ୟର ସମ୍ପତ୍ତି ସୃଷ୍ଟି କରିବା ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି । ତେଣୁ ରାଜ୍ୟର ଯୁବକ, କୃଷକ ଏବଂ ମହିଳାମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଠକି ଚାଲିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ମିଡିଆ ସଂଯୋଜକ ଦୀପକ ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍‌ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

Related Posts