(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ କଂଗ୍ରେସ ମଧ୍ୟ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। ଏହା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ନିର୍ବାଚନୀ ଘୋଷଣା ପତ୍ର ପ୍ରସ୍ତୁତ କରିବା ପାଇଁ ୟୁପିର ମେରଠ ପହଞ୍ଚିଛନ୍ତି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ୨୦୨୨ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେ ନେଇ ଦଳର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସ୍ଥିର କରିବେ।
ସେ ଶନିବାର ମେରଠରେ ପହଞ୍ଚି କହିଛନ୍ତି ଯେ କଂଗ୍ରେସ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଜୋରଦାର ଲଢେଇ କରିବ ଏବଂ ଜିତିବ। ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଦଳ ବର୍ତ୍ତମାନର ସରକାରଙ୍କ ନୀତି ବିରୋଧରେ ପ୍ରଚାର ଆରମ୍ଭ କରିବ।
ତେବେ କଂଗ୍ରେସର ପରବର୍ତ୍ତୀ ଜାତୀୟ ସଭାପତି କିଏ ହେବ? ଏହି ପ୍ରଶ୍ନର ଉତ୍ତରରେ ଖୁରସିଦ କାହାର ନାଁ ନନେଇ କହିଛନ୍ତି ଯେ, ‘ ଜନତା ଜାଣନ୍ତି ଯେ ଦଳ କାହା ନେତୃତ୍ୱରେ ଆଗକୁ ବଢୁଛି। ରାଜ୍ୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ପକ୍ଷରୁ କାହା ଚେହେରା ସାମ୍ନାକୁ ଆସିବ ସେ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀ ନିଷ୍ପତ୍ତି ନେବେ ବୋଲି ଖୁର୍ସିଦ କହିଛନ୍ତି । ଏହି ସମୟରେ ଖୁର୍ସିଦ୍ ଉତ୍ତରପ୍ରଦେଶର ଚାଷୀଙ୍କ ଅବସ୍ଥା ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି।
ଏହା ସଙ୍ଗେ ସଙ୍ଗେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଦେଖାଦେଇଥିବା ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସେ କହିଛନ୍ତି ଯେ ଭାରତରେ ରହୁଥିବା ଆଫଗାନିସ୍ତାନର ଛାତ୍ରମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ। ଆଫଗାନିସ୍ତାନର ନୀତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆଫଗାନିସ୍ତାନ ଏବଂ ତାଲିବାନ ପ୍ରସଙ୍ଗରେ ସରକାର ନିଜର ନୀତି ସ୍ପଷ୍ଟ କରିବା ଉଚିତ।
ଏହି ଅବସରରେ ଦଳର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ କହିଛନ୍ତି ଯେ ,’ କରୋନାର ଦ୍ବିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ । କୃଷକ ଓ ଯୁବକମାନେ ମଧ୍ୟ ଚିନ୍ତିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ପ୍ରତିଶତ ଲୋକଙ୍କୁ ବି ଟୀକାକରଣ କରାଯାଇ ନାହିଁ। ପୁଷ୍ଟିହୀନତା ଏବଂ ମହିଳାଙ୍କ ପ୍ରତି ଅପରାଧ ମାମଲାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି। ଦରବୃଦ୍ଧିରେ ବି ୟୁପି ଶିଖରରେ ଅଛି। କୃଷକମାନଙ୍କୁ ଅତ୍ୟାଚାର କରାଯାଉଛି। ବେକାରୀ ବୃଦ୍ଧି ପାଇଛି। ଏବେ ସରକାର ବିଦାୟ ନେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ‘
ସୂଚନାଯୋଗ୍ୟ ଯେ କଂଗ୍ରେସ ନେତାମାନେ ବର୍ତ୍ତମାନ ଦଳର ମନିଫେଷ୍ଟୋ ପ୍ରସ୍ତୁତ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଖୁରସିଦ୍, ଶ୍ରୀନେଟ୍, ପୂର୍ବତନ ବିଧାୟକ ବିବେକ ବଂଶଲ, ଅମିତାଭ ଦୁବେ ଏବଂ କଂଗ୍ରେସ କମିଟି ସଚିବ ରୋହିତ ଚୌଧୁରୀଙ୍କ ସମେତ କଂଗ୍ରେସ ନିର୍ବାଚନ ମନିଫେଷ୍ଟୋ କମିଟିର ଟିମ୍ ମେରଠରେ ପହଞ୍ଚିଛି।
