ସେପ୍ଟେମ୍ବରରେ କଂଗ୍ରେସକୁ ମିଳିବ ନୂଆ ଅଣ-ଗାନ୍ଧି ଅଧକ୍ଷ !

ନୂଆଦିଲ୍ଲୀ : କିଏ ଧରିବ କଂଗ୍ରେସ ର ଅଧକ୍ଷ ପଦ । ସେନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ପ୍ରାୟ ୩ ଦଶନ୍ଧି ପରେ ଆସନ୍ତା ସେପ୍ଟେମ୍ବର ମାସରେ କଂଗ୍ରେସ ଜଣେ ନୂଆ ଅଣ-ଗାନ୍ଧି ସଦସ୍ୟଙ୍କୁ ସଭାପତି ରୂପେ ପାଇପାରେ। କାରଣ ରାହୁଲ ଗାନ୍ଧି ପୁନଶ୍ଚ ଦଳ ମଙ୍ଗୁଆଳ ହେବାକୁ ରାଜି ହେଉ ନାହାନ୍ତି। ଶେଷ ଅଣ-ଗାନ୍ଧି ଅଧ୍ୟକ୍ଷ ସୀତାରାମ କେଶରୀଙ୍କୁ ଉକ୍ତ ପଦରୁ ବିଦା କରି ସୋନିଆ ଗାନ୍ଧିଙ୍କୁ ବସାଯାଇଥିଲା।

ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି। ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ସେ ବି ଉକ୍ତ ପଦରେ ଆଉ ରହିବାକୁ ଚାହୁନାହାନ୍ତି। ରାହୁଲଙ୍କୁ ପୁଣି ମନେଇବା ପାଇଁ ଯେତେ ଚେଷ୍ଟା କରାଗଲେ ମଧ୍ୟ ସେ ଆଉ ଦଳର ଅଧ୍ୟକ୍ଷ ଭାର ନେବାକୁ ରାଜି ନୁହନ୍ତି। ଯଦିଚ ଏବେ ବି ରାହୁଲଙ୍କୁ ମନେଇବା ପାଇଁ ଚେଷ୍ଟା ଅବ୍ୟାହତ ରହିଛି, ତଥାପି ସେ ରାଜି ହେବା ମୁଡ୍‌ରେ ନାହାନ୍ତି।

୨୦୧୯ ନିର୍ବାଚନରେ ଦଳ ହାରିବା ପରେ ରାହୁଲ ଏଥିପାଇଁ ନୈତିକ ଦାୟିତ୍ବ ନିଜ ମୁଣ୍ଡକୁ ନେଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ତାଙ୍କ ଇସ୍ତଫା ଗ୍ରହଣ କରିନଥିଲା। କିନ୍ତୁ ରାହୁଲ ଇସ୍ତଫା ଫେରେଇ ନେବାକୁ ରାଜି ହେଲେ ନାହିଁ। ସେତେବେଳେ ସେ କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ କେବଳ ଗାନ୍ଧି ପରିବାରରୁ ହେବା ଜରୁରୀ ନୁହେଁ। ବର୍ତ୍ତମାନ ଗାନ୍ଧି ପରିବାର ବାହାରୁ କିଏ କଂଗ୍ରେସର ଅଧ୍ୟକ୍ଷ ହେବ ତାହା ଉପରେ ଦଳୀୟ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି।

ସେପଟେ ଅଧକ୍ଷ ପଦ ଦୌଡ଼ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳ ସାଧାରଣ ସମ୍ପାଦକ ମୁକୁଲ ୱାସନିକ, ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଛି। ଯେଉଁ ୨୩ ଜଣ ବିଦ୍ରୋହୀ ନେତା କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରୁଥିଲେ ସେମାନେ ବି ନିଜ ପସନ୍ଦର ନେତାଙ୍କ ପାଇଁ ଯୁକ୍ତି କରିପାରନ୍ତି।

ଆଜିଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୨୦ରେ ଏହା ଶେଷ ହେବ। ତେଣୁ ଆଉ ପ୍ରାୟ ମାସକ ପରେ କଂଗ୍ରେସ ଜଣେ ଅଣ-ଗାନ୍ଧି ଅଧ୍ୟକ୍ଷ ପାଇବ ବୋଲି ଆଶା କରାଯାଉଛି।

Related Posts