ୟୁପି ବିଜେପିର ଅଧକ୍ଷ ହେବେ କି କେଶବ ପ୍ରସାଦ ମୌର୍ଯ୍ୟ ? ଟ୍ୱିଟ ପରେ ରାଜ୍ୟ ରାଜନୀତିରେ ନୂଆ ଟ୍ୱିଷ୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶରେ ବିଜେପିର ସଙ୍ଗଠନ ଦାୟିତ୍ବ ସମ୍ଭାଳିବେ କି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ? ବର୍ତ୍ତମାନ ରାଜ୍ୟର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମୌର୍ଯ୍ୟଙ୍କ ଗୋଟିଏ ଟ୍ୱିଟ ରାଜ୍ୟ ରାଜନୀତିରେ ନୂଆ ଟ୍ୱିଷ୍ଟ ଆଣିଛି। ଅଧ୍ୟକ୍ଷ ବଦଳିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଟ୍ୱିଟ କରି କହିଛନ୍ତି ଯେ “ସରକାର ଠାରୁ ଦଳର ସଙ୍ଗଠନ ବଡ଼।” ଏହାକୁ ସେ ନିଜ ଆକାଉଣ୍ଟର ପିନ୍‌ ଟୁ ଟପ୍‌ କରି ଅଧିକ ଗୁରୁତ୍ୱ ମଧ୍ୟ ଦେଇଛନ୍ତି।କିଛି ଦିନ ପୂର୍ବରୁ ଶ୍ରୀ ମୌର୍ଯ୍ୟ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ। ତେଣୁ ସେ ରାଜ୍ୟର ପରବର୍ତ୍ତୀ ବିଜେପି ମୁଖିଆ ହୋଇ ପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଏଯାଏ ଦଳ ପକ୍ଷରୁ କୌଣସି ପ୍ରକାରର ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।

ତେବେ କେଶବ ପ୍ରସାଦ ମୌର୍ଯ୍ୟ ପୂର୍ବରୁ ମଧ୍ୟ ୟୁପି ବିଜେପିର ଅଧ୍ୟକ୍ଷ ଭାବେ କାମ କରି ସାରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବିଜେପି ୨୦୧୭ରେ ୟୂପିରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା। ରାଜ୍ୟ ବିଜେପି ସଭାପତି ପଦରେ ଜଣେ ଦଳିତ କିମ୍ବା ବ୍ରାହ୍ମଣ ନେତାଙ୍କୁ ବସାଇବାକୁ ଚାହୁଁଛି ଦଳ। ତେଣୁ କେଶବ ମୌର୍ଯ୍ୟଙ୍କ ନାଁ ଚର୍ଚ୍ଚାକୁ ଆସିଛି। ତାଙ୍କ ପାଖରେ ମଧ୍ୟ ଏହି ପଦର ଅଭିଜ୍ଞତା ରହିଛି। ଜାତିଗତ ରାଜନୀତି ପାଇଁ ମଧ୍ୟ ସେ ପୂରା ଫିଟ। ଏଥିପାଇଁ ସେ ସରକାର ଠାରୁ ଦଳର ସଙ୍ଗଠନ ବଡ଼ ବୋଲି ଟ୍ୱିଟ କରିଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ସେମାନଙ୍କ କହିବା କଥା ହେଲା, ବିଜେପି ବର୍ତ୍ତମାନ ନିଜର ଭାବମୂର୍ତ୍ତି ସୁଧାରିବାକୁ ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଚାହୁଁଛି। ଏଥିପାଇଁ ବର୍ତ୍ତମାନର ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କୁ ଏହି ପଦରୁ ହଟାଇବାକୁ ଦଳ ଚାହୁଁଛି। କାରଣ ଶ୍ରୀ ସିଂହ ଏବେ ୟୁପି ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି। ତେଣୁ ତାଙ୍କୁ ସଭାପତି ପଦରୁ ହଟାଯିବ। ସୂଚନାଯୋଗ୍ୟ ଯେ, ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଶବ ପ୍ରସାଦ ମୌର୍ଯ୍ୟ ପରାସ୍ତ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଛି। ସେ ବିଧାନ ପରିଷଦର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

Related Posts