କଂଗ୍ରେସର ଆୟ ୫୮ ପ୍ରତିଶତ ହ୍ରାସ ପାଇଛି; ହେଲେ ବିଜେପିର ସହଯୋଗୀ ଜେଡିୟୁର ଆୟ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି: ରିପୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳ ପୂର୍ବ ତୁଳନାରେ ୨୦୨୦-୨୧ ବର୍ଷରେ ୫୮ ପ୍ରତିଶତ କମ୍ ପାଣ୍ଠି ପାଇଛି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଏହାର ଅଡିଟ୍ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜାତୀୟ କଂଗ୍ରେସର ଆୟ ୫୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ପୂର୍ବ ଆର୍ଥିକ ବର୍ଷରେ ୬୮୨.୨ କୋଟିରୁ କଂଗ୍ରେସର ଆୟ ୨୮୫.୭ କୋଟି ଟଙ୍କାକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ପୂର୍ବ ଅପେକ୍ଷା ଅଧିକ ଦାନ ପାଇଛି। ତେବେ ମାର୍ଚ୍ଚ ୩୦ ରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦-୨୧ ମସିହାରେ କଂଗ୍ରେସ ଦଳର ବ୍ୟୟ ମଧ୍ୟ ପୂର୍ବ ଆର୍ଥିକ ବର୍ଷରେ (୨୦୧୯) ୯୯୮.୧୫ କୋଟିରୁ ୨୦୯ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୧୯ ମସିହାରେ ଲୋକସଭା ନିର୍ବାଚନ ମଧ୍ୟ ହୋଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ କଂଗ୍ରେସର ଆୟ ୯୧୮ କୋଟି ଟଙ୍କା ଥିଲା। ସେବେଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

ସେପଟେ ଅଡିଟ୍ ରିପୋର୍ଟ ଅନୁଯାୟୀ ଦଳର ଆୟର ଏକ ପ୍ରମୁଖ ଅଂଶ କୁପନ୍ ପ୍ରଦାନରୁ ଆସିଛି। କୁପନ ମାଧ୍ୟମରେ ୧୫୬.୯ କୋଟି ଟଙ୍କା ପାଇଛି ବୋଲି ଦଳ କହିଛି। ଅନୁଦାନ ଏବଂ ଦାନ ମାଧ୍ୟମରେ ଦଳ ୯୫.୪ କୋଟି ଟଙ୍କା ପାଇଥିବାବେଳେ ଫି ଏବଂ ସଦସ୍ୟତା ଠାରୁ ୨୦.୭ କୋଟି ଟଙ୍କା ଆସିଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏବଂ ଜନତା ଦଳ (ୟୁନାଇଟେଡ୍) ସମେତ ଅନ୍ୟ ଦଳ ମଧ୍ୟ ସେମାନଙ୍କର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗରେ ଦାଖଲ କରିଛନ୍ତି। ସେପଟେ ଏନସିପିର ବାର୍ଷିକ ଆୟ ୮୫.୫ କୋଟିରୁ କମି ୨୦୨୧ ମସିହାରେ ୩୪.୯ କୋଟି ଟଙ୍କାକୁ ହ୍ରାସ ପାଇଛି । ପାର୍ଟିର ଖର୍ଚ୍ଚ ମଧ୍ୟ ପୂର୍ବ ଆର୍ଥିକ ବର୍ଷରେ ୧୦୯.୧୮ କୋଟିରୁ ୨୦୨୦-୨୧ ରେ ୧୨.୧୭ କୋଟି ଟଙ୍କାକୁ ଖସି ଆସିଛି। କିନ୍ତୁ ଜନତା ଦଳ ୟୁନାଇଟେଡର ୨୦୨୦ ତୁଳନାରେ ଆୟ ୨୦୨୧ ରେ ବୃଦ୍ଧି ପାଇଛି । ଦଳର ବାର୍ଷିକ ଆୟ ୨୩.୨୫ କୋଟିରୁ ୬୫.୩୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦଳର ଖର୍ଚ୍ଚ ୧୦.୬୭ କୋଟିରୁ ୨୪.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts