ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ୯୦ ତମ ଇଣ୍ଟରପୋଲ ମହାସଭାର ଶୁଭାରମ୍ଭ କରିଛନ୍ତି । ଏହି ମହାସଭାରେ ବିଶ୍ୱର ୧୯୫ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ପ୍ରତିନିଧି ଦେଶଗୁଡିକର ମନ୍ତ୍ରୀ, ପୋଲିସ ମୁଖ୍ୟ, କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟ ଏବଂ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ରହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ସାରା ବିଶ୍ୱକୁ କହିବାକୁ ଚାହୁଁଛି ଯେ ଆତଙ୍କବାଦ, ଡ୍ରଗ୍ସ, ଦୁର୍ନୀତି ସମସ୍ତଙ୍କ ପାଇଁ ବଡ ବିପଦ । ଏଥିପାଇଁ ସମସ୍ତଙ୍କୁ ଏକାଠି ଲଢିବାକୁ ପଡିବ । ସାରାବିଶ୍ୱ ପାଇଁ ସାଇବର କ୍ରାଇମ ବଡ ବିପଦ । ସେହିଭଳି ଅର୍ଥ ତୋଷାରପାତ ଏବଂ ଦୁର୍ନୀତି ବଡ ବିପଦ ଭାବେ ଉଭା ହୋଇଛି ।
ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତରପ୍ରଦେଶ ଜନସଂଖ୍ୟା ଦୃଷ୍ଟିରୁ ଦେଶର ସବୁଠାରୁ ବଡ ରାଜ୍ୟ । ରାଜଧାନୀ ଦିଲ୍ଲୀରେ ସ୍ୱିଡେନରେ ରହୁଥିବା ଲୋକଙ୍କ ଠାରୁ ଅଧିକ ଲୋକ ରହୁଛନ୍ତି । କେବଳ କୁମ୍ଭମେଳାରେ କୋଟି କୋଟି ଲୋକ ଭାଗ ନେଉଛନ୍ତି । ଭାରତ କେବଳ ନାଗରିକଙ୍କ ସୁରକ୍ଷା କରେ ନାହିଁ ବରଂ ଲୋକତନ୍ତ୍ର ସୁରକ୍ଷିତ ତଥା ସୁଦୃଢ କରୁଛି । ଆମର ଲୋକତନ୍ତ୍ର ଏବଂ ବିବିଧତା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
