‘ପୂର୍ବତଟ ରେଳପଥକୁ ଶ୍ରୀହୀନ କରିବାକୁ ଷଡ଼ଯନ୍ତ୍ର’; ଆନ୍ଦୋଳନ ଚେତାବନୀ ଦେଲା INTUC

ଭୁବନେଶ୍ଵର,୯/୧୨(ସତ୍ୟପାଠ ବ୍ୟୁରୋ) : ଓଡ଼ିଆ ସ୍ଵାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଅମଳରେ ହିଁ ଓଡ଼ିଆ ଅସ୍ମିତା ଉପରେ ଦୁର୍ବାର ଆକ୍ରମଣ ଆରମ୍ଭ ହୋଇଯାଇଛି । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ହିଁ ଓଡ଼ିଆ ଅସ୍ମିତାର ମୁଣ୍ଡ ଉପରେ ପାହାର ଦିଆଯାଇଛି ବୋଲି କହିଛି ଇଣ୍ଡିଆନ ନ୍ୟାସନାଲ ଟ୍ରେଡ଼ ୟୁନିୟନ କଂଗ୍ରେସ (INTUC)। INTUC ର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବହୁ ବିରୋଧ ସତ୍ତ୍ୱେ ପୂର୍ବତଟ ରେଳପଥ ଯାହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ଅବସ୍ଥାପିତ, ତାକୁ ଖଣ୍ଡ ବିଖଣ୍ଡ କରିଦିଆଯାଇଛି । ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଛିଡ଼ା ହୋଇଥିବା ପୂର୍ବତଟ ରେଳପଥର ସବୁଠୁ ଲାଭଜନକ ଅଙ୍ଗ ୱାଲଟିୟର ଡିଭିଜନକୁ କାଢି ନିଆଯିବା ସହ ନବଗଠିତ ଦକ୍ଷିଣତଟ ରେଳପଥ (South Coast Railway)ରେ ମିଶାଇ ଦିଆଯାଇଛି । ଏହାଦ୍ଵାରା ଆମ ରାଜ୍ୟ ଭୀଷଣ କ୍ଷତିଗ୍ରସ୍ତ ହେବ । କାରଣ ଏହି ରେଳପଥର ସବୁଠୁ ଲାଭଜନକ ଡିଭିଜନ ଥିଲା ।

କ୍ରମାଗତ ଭାବେ ୩ ବର୍ଷ ଧରି ରାଜସ୍ୱ ଉପାର୍ଜନକାରୀ ଡ଼ିଭିଜନ ଭାବେ ଏହା ସାରା ଦେଶର ନମ୍ବର ୱାନ ହୋଇ ରହିଥିଲା । କେବେ ନମ୍ବର ୱାନ, ନମ୍ବର-ଟୁ ହୋଇ ଆଜି ପର୍ଯ୍ୟନ୍ତ ରେକର୍ଡ଼ କରିଥିବା ଏହି ଡିଭିଜନ ମାଲ୍ ପରିବହନ (Loading) କ୍ଷେତ୍ରରେ ଗୋଟିଏ ଉଦାହରଣ ସୃଷ୍ଟି କରିଛି । ମାତ୍ର ଦୁଃଖ ଓ ପରିତାପର ବିଷୟ ଭେଙ୍କୟା ନାଇଡୁଙ୍କ ଦାବି ଓ ଆନ୍ଧ୍ର ବିଜେପିର ଋପ ଆଗରେ ଓଡ଼ିଶାରୁ ଯାଇ ମନ୍ତ୍ରୀ ବନିଥିବା ଅଶ୍ୱିନୀ ବୈଷ୍ଣବ ସମ୍ପୂର୍ଣ ସମର୍ପଣ (Surrender) କରି ଓଡ଼ିଶାର ଅମାପ କ୍ଷତି କରିଛନ୍ତି । ଓଡ଼ିଶା ଲୋକଙ୍କୁ ଓଲା ବନାଇବା ପାଇଁ ରାୟଗଡ଼ା ଡିଭିଜନ ପରି ଏକ ଶୁଷ୍କ (Dry) ଡିଭିଜନ ସୃଷ୍ଟି କରି ଲଲିପପ୍ ଧରାଇ ଦେବାର ଉଦ୍ୟମ କରୁଛନ୍ତି । ୱାଲଟିୟର ଡିଭିଜନ ଅଧୀନରେ ଥିବା ବିଶାଖପାଟଣାର ବିଶାଳ ଇସ୍ପାତ କାରଖାନା ଓ ବୃହତ୍ ବନ୍ଦର ଏବେ ଆମ ହାତରୁ ଚାଲି ଯାଉଥିବାରୁ ପୂର୍ବତଟ ରେଳପଥ ଭୀଷଣ କ୍ଷତିଗ୍ରସ୍ତ ହେବ । ମନ୍ତ୍ରୀ ଏବେ ଯେଉଁ ଗପ ଶୁଣାଉଛନ୍ତି ଯେ, ଓଡ଼ିଶାରୁ କୌଣସି ଅଞ୍ଚଳ ଯାଉନାହିଁ ତାହା କେବଳ ମାତ୍ର ଭୁଆଁ ବୁଲାଇବାକୁ ଅଭିପ୍ରେତ ସେ କହିଛନ୍ତି।

INTUC ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ମନ୍ତ୍ରୀ ମହୋଦୟ କହିବେ କି କୌଣସି ରାଜ୍ୟର ସୀମାକୁ ନେଇ କଣ କେବେ ରେଳପଥ ଜୋନ୍ ସୃଷ୍ଟି ହୋଇଥାଏ କି ? ସାରା ଦେଶରେ ସବୁ ରାଜ୍ୟରେ କ’ଣ ରେଳବାଇ ଜୋନ ରହିଛି କି ? ଆନ୍ଧ୍ର ପ୍ରଦେଶରେ ପୂର୍ବରୁ ବିଜୟୱାଡ଼ା-ଗୁଣ୍ଡୁରୁ-ଗଣ୍ଟୁକାର ନାମରେ ୩-ଟି ଡିଭିଜନ ରହିଛି ଯାହାକି ଦକ୍ଷିଣ କେନ୍ଦ୍ର ରେଳପଥ (South Central Railway) ଅଧାନରେ ସିକନ୍ଦରାବାଦସ୍ଥିତ ହେଡ଼କ୍ୱାର୍ଟରୁ କାର୍ଯ୍ୟ କରୁଛି । ସେହି ତିନୋଟି ଡିଭିଜନକୁ ନେଇ ନୂତନ ଜୋନ୍ ନିର୍ମାଣରେ ସମସ୍ୟା କ’ଣ ଥିଲା ? ଓଡ଼ିଶାରେ ମଧ୍ୟ ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଏବଂ ୱାଲଟିୟର ଆଦି ୩-ଟି ଡିଭିଜନକୁ ନେଇ ପୂର୍ବତଟ ରେଳପଥ ସୃଷ୍ଟି ହୋଇଥିଲା । ଆନ୍ଧ୍ର ପ୍ରଦେଶରେ ମଧ୍ୟ ସେମିତି ହୋଇପାରିଥାନ୍ତା ! ଯଦି ରାଜ୍ୟର ସୀମାକୁ ଏକ ମାପକ ଭାବେ ନିଆଗଲା, ତେବେ ଓଡ଼ିଶାର ରାଉରକେଲା ଆଦି ଅଞ୍ଚଳକୁ ଦକ୍ଷିଣ-ପୂର୍ବ (South Eastern) ରେଳପଥର ଚକ୍ରଧରପୁର ଡିଭିଜନରୁ ମୁକ୍ତ କରି ପୂର୍ବତଟ ରେଳପଥରେ ସାମିଲ୍ କରାଯାଉ । ସେହିପରି ଝାରସୁଗୁଡ଼ା ଜିଲ୍ଲାର କୋଇଲା ଖଣି ଅଞ୍ଚଳ IB Valleyକୁ South-East- Central ରେଳପଥର ବିଳାସପୁର ଡିଭିଜନରୁ ମୁକ୍ତ କରି ପୂର୍ବତଟ ରେଳପଥରେ ମିଶ୍ରଣ କରାଯାଉ । ଯଦ୍ୱାରା ରାଉରକେଲା ଇସ୍ପାତ ଖାରଖାନା ଓ IB Valleyର କୋଇଲା ଖଣି ଅଞ୍ଚଳ ଆମ ଅଧକୁ ଆସିଲେ ରାଜସ୍ୱ ଉପାର୍ଜନ ଓ ମାଲ୍ ପରିବହନ କ୍ଷେତ୍ରରେ ଆମେ ବିଶାଖାପାଟଣାକୁ ହରାଇବାର କ୍ଷତି ଭରଣା କରିପାରିବୁ । ଖାଲି ସେତିକି ନୁହେଁ, ବାଲେଶ୍ଵରକୁ ଏକ ନୂଆ ଡିଭିଜନ ରେ ପରିଣତ କରି ମୟୁରଭଞ୍ଜ ଆଦି ଅଞ୍ଚଳକୁ ମଧ୍ୟ ଦକ୍ଷିଣ ପୂର୍ବ ରେଳପଥ କବଳରୁ ମୁକ୍ତ କରି ପୂର୍ବତଟ ରେଳପଥରେ ମିଶ୍ରଣ କରାଯାଉ । ଯଦ୍ୱାରା ଆମେ ଆମ ରାଜ୍ୟର ସୀମାକୁ ଏକତ୍ର କରିବା ସହ ଏକ ସମୃଦ୍ଧ ରେଳବାଇ ଜୋନ ନିର୍ମାଣ କରିପାରିବୁ । ଏହା ନକରି ପୂର୍ବତଟ ରେଳପଥକୁ ଭାଗ ଭାଗ କରିବା ଏକ ଅକ୍ଷମଣୀୟ ଅପରାଧ ହୋଇଥିବାରୁ ସରକାର ସ୍ପଷ୍ଟ ମତ ନ ରଖିବା ପର୍ଯ୍ୟନ୍ତ କୋରଦାର ଆନ୍ଦୋଳନ ହେବ ବୋଲି ଆଇଏନଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ ଏବଂ ଯୁବନେତା ଅମିୟ ପାଣ୍ଡବ ଚେତାବନୀ ଦେଇଛନ୍ତି ।

Related Posts