ରାଜ୍ୟସଭାରେ ଆଜି ଆସିବ ନାଗରିକତା ସଂଶୋଧନ ବିଲ୍: କିଏ ଦେବ ସମର୍ଥନ ?

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ବିଲକୁ ରାଜ୍ୟସଭାରେ ଆଗତ କରିବେ । ଦିନ ୧୨ଟାରେ ଉପସ୍ଥାପନ ହେବ ଏହି ବିଲ୍ । ୬ ଘଣ୍ଟା ଧରି ଏହି ବିଲ୍ ଉପରେ ଆଲୋଚନା ହେବ । ଏଥିପାଇଁ ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ହେବ ନାହିଁ । କିନ୍ତୁ ବିଲ୍‌ ପାସ୍‌ ପାଇଁ ବିଜେପି ସମର୍ଥନ ଯୋଗାଡ଼ କରିପାରିବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ସହଜରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହୋଇଯାଇଛି । କିନ୍ତୁ ରାଜ୍ୟସଭାରେ  ବିଜେପିକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଟିଏମସି, କଂଗ୍ରେସ ଭଳି ବିଜେପିର କଡ଼ା ବିରୋଧୀ ଦଳ ଏହି ବିଲ୍‌କୁ ରାଜ୍ୟସଭାରେ ପାସ କରାଇଦେବେନି ବୋଲି ଚେତାବନୀ ଦେଇ ସାରିଛନ୍ତି । ତଥାପି ଏହି ବିଲକୁ ପାସ୍ କରାଇବାରେ ବିଜେପି ସଫଳ ହେବ ବୋଲି ଅନୁମାନ କରାଯାଇଛି । କାରଣ ଏନଡିଏରେ ସାମିଲ୍ ନଥିବା ଦଳ ମଧ୍ୟ ଏହି ବିଲକୁ ରାଜ୍ୟସଭାରେ ସମର୍ଥନ କରିବେ ବୋଲି ସଙ୍କେତ ଦେଇସାରିଛନ୍ତି । ବିଜେପି ଏନଡିଏ ବାହାରର ୨୫ ସଦସ୍ୟଙ୍କୁ ନିଜ ସପକ୍ଷରେ ସମର୍ଥନ ଆଣିବା ପାଇଁ ପ୍ରସ୍ତୁତି କରିବାରେ ସଫଳ ହୋଇଥିବା କୁହାଯାଉଛି ।

ବିଲ୍ ପାସ୍‌ ପାଇଁ ରାଜ୍ୟସଭା ଗଣିତ

ରାଜ୍ୟସଭାରେ ୨୪୫ ସଦସ୍ୟଙ୍କ ମଧ୍ୟରୁ ଏବେ ୨୪୦ ଜଣ ସଦସ୍ୟ ରହିଛନ୍ତି । ବିଲ୍ ପାରିତ କରିବା ପାଇଁ ୧୨୧ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଛି । ୧୨୪-୧୩୦ ସଦସ୍ୟଙ୍କ ସମର୍ଥନ ଦଳ ପାଖରେ ରହିଛି ବୋଲି ବିଜେପି କହିଛି । ବିରୋଧୀ ପାଖରେ ୯୦-୯୩ ସଦସ୍ୟଙ୍କ ସମର୍ଥନ ରହିଛି ବୋଲି ଜଣାପଡ଼ିଛି । ତେଣୁ ଏହି ଗଣିତ ଅନୁସାରେ କେନ୍ଦ୍ର ସରକାର ବିଲକୁ ପାରିତ କରିବାରେ ସଫଳ ହେବେ।

ବିଜେପିକୁ କେଉଁ କିଏ ଦେବ ସମର୍ଥନ କିଏ କରିବ ବିରୋଧ ?

ବିଜେପି ପାଖରେ ୮୩ ଜଣ ନିଜ ଦଳୀୟ ସାଂସଦଙ୍କ ସମର୍ଥନ ରହିଛି । ଏବେ ତାମିଲନାଡୁର ଶାସକ ଦଳ ଏଆଇଏମଡିଏମକେ ୧୧, ଜେଡିୟୁ ୬, ଶୀରୋମଣି ଅକାଳି ଦଳ-୩, ଲୋକ ଜନଶକ୍ତି ପାର୍ଟି-୧, ଆରପିଆଇ-୧ ସମର୍ଥନ ରହିଥିବା ଜଣାପଡ଼ିଛି । ଏହାବାଦ୍ ଓଡ଼ିଶାର ବିଜୁ ଜନତା ଦଳ-୭, ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ-୨, ତେଲଗୁ ଦେଶମ ପାର୍ଟିର ୨ ଜଣ ସାଂସଦ ବିଲକୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି ।

ସେହିପରି ରାଜ୍ୟସଭାକୁ ୧୨ ଜଣ ମନୋନୀତ ହୋଇଛନ୍ତି । ଏହି ମନୋନୀତ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ବାକି ୪ ସଦସ୍ୟଙ୍କ ମଧ୍ୟରୁ ୩ ଜଣ ସଦସ୍ୟ ବିଲକୁ ସମର୍ଥନ କରିବେ ବୋଲି ବିଜେପି ନେତା କହିଛନ୍ତି ।

ତେବେ ଶିବସେନା ଓ ଜେଡିୟୁ ଉପରେ ରାଜ୍ୟସଭାରେ ନଜର ରହିବ । କାରଣ ଉଭୟ ଦଳ ଲୋକସଭାରେ ଏହି ବିଲକୁ ସମର୍ଥନ କରିଛନ୍ତି । ହେଲେ ରାଜ୍ୟସଭାରେ ବିରୋଧ କରିବେ ବୋଲି ଆଭାସ ମିଳିଛି । ଶିବସେନା ଯଦି ବିରୋଧ କରିବ ତାହେଲେ ୩ ସଦସ୍ୟ ବିରୋଧ କରିବେ। ସେହିପରି ଜେଡିୟୁ ଯଦି ବିରୋଧ କରିବ ତାହେଲେ ୬ ସଦସ୍ୟଙ୍କ ସମର୍ଥନ ହରାଇବ ବିଜେପି । ଏହାକୁ ନଜରରେ ରଖି ବିଜେପି ଏନଡିଏ ବାହାରର ୨୫ ସଦସ୍ୟଙ୍କୁ ନିଜ ସପକ୍ଷରେ ସମର୍ଥନ ଆଣିବା ପାଇଁ ପ୍ରସ୍ତୁତି କରିବାରେ ସଫଳ ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ପାଖରେ ମୋଟ୍ ୬୨ ଏବଂ ଅନ୍ୟାନ୍ୟ ଦଳର ସଦସ୍ୟଙ୍କୁ ମିଶାଇଲେ ୯୦-୯୩ ରହିବ ବୋଲି ଜଣାପଡ଼ିଛି। ହେଲେ ଶିବସେନା-ଜେଡିୟୁ ଯଦି ବିଲକୁ ସମର୍ଥନ ନ କରିବେ ତାହେଲେ ବିରୋଧ ସଂଖ୍ୟା ଅଧିକ ହେବ। ହେଲେ ବି ଶାସକ ଦଳ ୧୨୧ ସଦସ୍ୟଙ୍କ ସମର୍ଥନ ଜୁଟାଇବାରେ ସଫଳ ହେବ ବୋଲି ଜଣାପଡ଼ିଛି।

Related Posts