(ସତ୍ୟପାଠ ବ୍ୟୁରୋ) ଆଜି ରାଜ୍ୟସଭାରେ ଆସିବ ନାଗରିକତା ସଂଶୋଧନ ବିଲ୍‌ । ଏହାକୁ କେଉଁ ଦଳ ସମର୍ଥନ କରିବେ ଆଉ କିଏ କରିବେ ବିରୋଧ ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ।  ଏହାରି ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା । ଲୋକସଭାରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାହୁଲ ଗାନ୍ଧିଙ୍କ ଟ୍ବିଟ୍‌ ପରେ ୟୁଟର୍ଣ୍ଣ ମାରିଛି ଶିବସେନା । ଶିବସେନାର ଏହି ୟୁଟର୍ନ କଂଗ୍ରେସ ସମ୍ମୁଖରେ ଆତ୍ମସମର୍ପଣ କଲା ଭଳି ମନେ ହେଉଛି । ସେପଟେ ଉଭୟ ପାର୍ଟି ଭିନ୍ନ ଅଟନ୍ତି ଏବଂ ନିଜ ପାଇଁ ସବୁ ପ୍ରସଙ୍ଗ ଉପରେ ସମାନ ବିଚାର ରଖିବା ସମ୍ଭବ ନୁହେଁ ବୋଲି କହିଛି ଏନସିପି ।

ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ଉପରେ ବିଜେପିକୁ ସମର୍ଥନ ଜଣାଇ ଭୋଟ କରିଥିଲା ଶିବସେନା । କିନ୍ତୁ ରାଜ୍ୟସଭାରେ ବିଧେୟକର ସମର୍ଥନ କରିବା ପୂର୍ବରୁ ସର୍ତ୍ତ ରଖିଛି ଦଳ । ଗତକାଲି ଶିବସେନା ଅଧ୍ୟକ୍ଷ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରୋକଠୋକ କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍‌କୁ ଶିବସେନା ସମର୍ଥନ କରିବ ନାହିଁ । କାରଣ ଲୋକସଭାରେ ଏହି ବିଲ୍‌ ଆଗତ ହେବା ପରେ ଶିବସେନା ସାଂସଦଙ୍କ କିଛି ପ୍ରଶ୍ନ ଉଠାଇଥିଲେ । ଏହି ବିଲ୍‌ ଉପରେ ରାଜ୍ୟସଭାରେ ଆହୁରି ଆଲୋଚନା ହେବାର ଆବଶ୍ୟକତା ରହିଛି । ବିଲ୍‌ରେ ଯେଉଁ ନାଗରିକଙ୍କୁ ନାଗରିକତା ଦିଆଯାଉଛି, ସେମାନେ କେଉଁ ରାଜ୍ୟରେ ରହିବେ ତାହା ସ୍ଥର ହୋଇଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ । ସେପଟେ ଶିବସେନାର ମୁଖପତ୍ର ସାମନାରେ ନାଗରିକତା ସଂଶୋଧନ ବିଲ ମାଧ୍ୟମରେ ଧର୍ମ ନାମରେ ଦେଶକୁ ବିଭାଜନ କରାଯାଉଥିବା ଅଭିଯୋଗ କରାଯାଇଛି ।

Related Posts