ତରୁଣ ତେଜପାଲ ଦୁଷ୍କର୍ମ ପୀଡ଼ିତାଙ୍କ ହ୍ଵାଟ୍ସଆପ୍ ମେସେଜକୁ ଅଦାଲତଙ୍କୁ ଦେଖାଇ କିଭଳି ଦୋଷମୁକ୍ତ ହେଲେ ତାକୁ ନେଇ ଉଠିଛି ବିବାଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୩ ଦୁଷ୍କର୍ମ ମାମଲାରୁ ‘ତେହେଲ୍‌କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ୍‌ଙ୍କୁ ମେ ୨୧ ତାରିଖ ଦିନ ମାପୁସାସ୍ଥିତ ଗୋଆ ଫାଷ୍ଟ୍ ଟ୍ରାକ୍ କୋର୍ଟ ତେଜପାଲଙ୍କୁ ଦୋଷମୁକ୍ତ କରିଥିଲେ। ଗୋଆ ଫାଷ୍ଟ ଟ୍ରାକ କୋର୍ଟର ରାୟ କୁ ନେଇ ଏବେ ଜୋରଦାର ଆଲୋଚନା ହେଉଛି। ଯାହା ତରୁଣ ତେଜପାଲ୍‌ ବଳାତ୍କାର ମାମଲାରେ ପୀଡିତାଙ୍କ ସାକ୍ଷ୍ୟକୁ “ଷ୍ଟର୍ଲିଂ କ୍ବାଲିଟ୍” ନୁହେଁ ବୋଲି ଦର୍ଶାଇ ପୀଡିତାଙ୍କ ହ୍ବାଟସ୍ ଆପ୍ ଚାଟ୍ କୁ କୋର୍ଟରେ ଦିଆଯାଇଛି । ତରୁଣ ତେଜପାଲ୍‌ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ପୀଡିତାଙ୍କ ଯୌନ ବାର୍ତ୍ତାଳାପ ସମ୍ପର୍କିତ ଚାଟ୍ କୁ ପ୍ରମାଣ ବୋଲି କୋର୍ଟରେ ଦର୍ଶାଇଥିଲେ। ତେବେ କୋର୍ଟ ମଧ୍ୟ ଏଥିପାଇଁ ଅନୁମତି ଦେଇଥିଲେ। ଏହି ହ୍ବାଟସ୍ଆପ୍ ଚାଟ୍ ଗୁଡିକ ମଧ୍ୟରେ ପୀଡିତ ଓ ତାଙ୍କ ପରିବାର ଏବଂ ସମ୍ପର୍କିୟଙ୍କ ମଧ୍ୟରେ ହୋଇଥିବା ଦୁଇ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଚାଟ୍ ଏବଂ ଫଟୋ ରହିଥିଲା। ୨୭ ଅଗଷ୍ଟ ୨୦୧୮ ରେ ଏହି ଚାଟ୍ ଗୁଡିକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ତେଜପାଲଙ୍କୁ ଯୋଗାଇ ଦିଆଯାଇଥିଲା। ଏହି ଚାଟ୍ ଗୁଡିକ ୨୦୧୨ ମସିହା ଆରମ୍ଭରୁ ୨୨ ନଭେମ୍ବର ୨୦୧୩ ମଧ୍ୟରେ ହୋଇଥିବା ହ୍ବାଟସ୍ଆପ୍ ଚାଟ୍। ୨୦୧୩ ମସିହାରେ କ୍ଲୋନ ହୋଇଥିବା ଏହି ଚାଟ୍ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଟ୍ରାଏଲ ଜଜ୍ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୀଡିତାଙ୍କ ଚାଟ୍ କ୍ଲୋନ୍ କରିବାକୁ ୩ ମେ ୨୦୧୪ ରେ କୋର୍ଟ ତେଜପାଲଙ୍କୁ ଦେଇଥିବା ଅନୁମତି କୁ ରେଫର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ୩ ମେ ୨୦୧୪ ରେ ଟ୍ରାଏଲ କୋର୍ଟ ୨୦୧୩ ନଭେମ୍ବର ୭ ରୁ ୩୧ ଡିସେମ୍ବର ୨୦୧୩ ମସିହା ମଧ୍ୟରେ ପୀଡିତାଙ୍କ ସାମସଙ୍ଗ ଗାଲାକ୍ସି ଏସ ୨ ଫୋନ ଏବଂ ମେମୋରୀ କାର୍ଡ ସବିଶେଷ ତଥ୍ୟରେ ଏକ ମିରର ଇମେଜ୍ ଏବଂ କ୍ଲୋନ କପି ବାହାର କରିବା ପାଇଁ ଅନୁମତି ଦେଇଥିଲେ । ତେବେ ଚାଟ୍ କ୍ଲୋନିଂ ପାଇଁ କୋର୍ଟ ଦେଇଥିବା ଅନୁମତିକୁ ପ୍ରସିକ୍ୟୁସନ୍ ବିରୋଧ କରି କହିଥିଲେ ଯେ ବଳାତ୍କାର ମାମଲାରେ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ନ୍ୟାୟପୂର୍ଣ୍ଣ ବିଚାରର ଅଧିକାରକୁ ସମର୍ଥନ କରିଥିବାରୁ ଟ୍ରାଏଲ କୋର୍ଟ ତେଜପାଲଙ୍କୁ ଅନୁମତି ଦେଇଛନ୍ତି ବୋଲି ଯୁକ୍ତି ବାଢିଥିଲେ । କ୍ଲୋନିଂ କରାଯାଇଥିବା ଡାଟା କୋର୍ଟର ପରିସର ଭୁକ୍ତ ବୋଲି ଟ୍ରାଏଲ କୋର୍ଟ କହିଥିଲେ। ଅପରପକ୍ଷରେ ଅନ୍ୟ ୧୨ ଟି ଇଲେକ୍ଟ୍ରୋନିକ୍ ଆଇଟମ୍ ଜବତ କରାଯାଇଥିଲା , ଏହା ପୀଡିତାର ମୌଳିକ ଗୋପନୀୟତା ଅଧିକାର ଉଲ୍ଲଂଘନ ବୋଲି ପ୍ରସିକ୍ୟୁସନ କହିଥିଲେ। ତେବେ ଅଭିଯୁକ୍ତଙ୍କୁ ତାଙ୍କ ମୌଳିକ ଅଧିକାର ଦିଆଯାଇଥିବା ବେଳେ ପୀଡିତାଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହୋଇଥିବା ଅନେକ ଆଇନ ବିଷାରଦ ମତ ରଖିଛନ୍ତି। ସୂଚନାଯୋଗ୍ୟ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୩ରେ ତରୁଣ ତେଜପାଲ୍‌ ଗିରଫ ହୋଇଥିଲେ। ନଭେମ୍ବର ୭ ତାରିଖ ଦିନ ଗୋଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସମୟରେ ଗୋଟାଏ ପଞ୍ଚତାରକା ହୋଟେଲ୍‌ର ଲିଫ୍‌ଟ୍‌ ଭିତରେ ତେଜପାଲ ମହିଳା ସହକର୍ମୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତେଜପାଲଙ୍କୁ ୨୦୧୩ ନଭେମ୍ବର ୩୦ରେ ଗିରଫ କରାଯାଇଥିଲା ଏବଂ ସୁପ୍ରିମ୍‌ କୋର୍ଟ ତାଙ୍କୁ ୨୦୧୪ ଜୁଲାଇ ୧ ତାରିଖ ଦିନ ଜାମିନ ପ୍ରଦାନ କରିଥିଲେ। ୨୦୧୪ ଫେବ୍ରୁଆରିରେ ଗୋଆ କ୍ରାଇମ୍‌ ବ୍ରାଞ୍ଚ୍‌ ମଧ୍ୟ ତେଜପାଲଙ୍କ ନାମରେ ୨,୮୪୬ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା। ତାଙ୍କ ବିରୋଧରେ ‘ଆଇପିସି’ ଧାରା ୩୪୧, ୩୪୨, ୩୫୪, ୩୫୪-ଏ, ୩୫୪-ବି, ୩୭୬ (୨) ଏବଂ ୩୭୬ (୨) ଲାଗୁ କରାଯାଇଥିଲା।

Related Posts