ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ ହେଲେ ସାମ୍ବାଦିକ ତରୁଣ ତେଜପାଲ୍ ; ଗୋଆ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତେହେଲକା ମାଗାଜିନ୍ ର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ନିର୍ଦ୍ଦୋଷରେ ଖଲାସ। ୨୦୧୩ର ଏକ ଯୌନ ଉତ୍ପୀଡ଼ନ ମାମଲାରେ ତାଙ୍କୁ ଗୋଆର ଏକ ସେସନ୍ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଣେ ମହିଳା ସାମ୍ବାଦିକଙ୍କୁ ଗୋଆର ଏକ ହୋଟେଲର ଲିଫ୍ଟରେ ଯୌନ ନିର୍ଯାତନା ଦେଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସାତ ବର୍ଷ ପୁରୁଣା ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ କୋର୍ଟ ଗତ ମାସରେ ରାୟ ସଂରକ୍ଷିତ ରଖିଥିଲେ।  ୨୦୧୩ ମସିହା ନଭେମ୍ବର ୭ ତାରିଖରେ ତରୁଣ ତେଜପାଲଙ୍କ ଜଣେ ମହିଳା ସହଯୋଗୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗୋଆର ଏକ ଇଭେଣ୍ଟରେ ମହିଳା ସାମ୍ବାଦିକଙ୍କୁ ଲିଫ୍ଟ୍ ରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୦୧୩ ନଭେମ୍ବର ୩୦ରେ ତାଙ୍କୁ ଗିରଫ କରାଯାଇଥିଲା। ଘଟଣା ଚର୍ଚ୍ଚାକୁ ଆସିବା ପରେ ୨୦୧୩ ନଭେମ୍ବର ୨୦ ତାରିଖରେ ତରୁଣ ତେଜପାଲ ‘ତେହେଲ୍କା’ର ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ନଭେମ୍ବର ୨୩ ତାରିଖରେ ଗୋଆ ପୋଲିସ ତେଜପାଲଙ୍କ ବିରୋଧରେ ବଳାତ୍କାର ଓ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିଥିଲା। ଏହା ପରେ ୨୦୧୩ ନଭେମ୍ବର ୩୦ ତାରିଖରେ ସେସନ୍ ଜଜ୍ ଅନୁଜା ପ୍ରଭାସଦାଇ ତାଙ୍କର ଅଗ୍ରୀମ ଜାମିନ୍ ଆବେଦନ ଖାରଜ କରି ଥିଲେ। ଜାମିନ୍ ଆବେଦନ ଖାରଜ ହେବାର ମାତ୍ର ୯୦ମିନିଟ ପରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ତେବେ ୧ ଜୁଲାଇ ୨୦୧୪ ମସିହାରେ ସୁପ୍ରିମକୋର୍ଟ ତେଜପାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।  

Related Posts