ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ନେଇ ବଢୁଛି ବିବାଦ, ଏସ୍‌ସିବିରେ ରୋଗୀ ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଚିହ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଏହି ସମୟର ଆଇସିୟୁ ଭିତରେ ତାଙ୍କୁ ଗୀତ ବଜାଇ ନଚାଯାଉଥିବାର ଭିଡିଓ ଭାଇରାଲ ହେଉଛି। ତେବେ ଏହି ଘଟଣାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପଟେ ଆଟେଣ୍ଡାଣ୍ଟ ପାସ୍‌ ନଥିଲେ ଏସ୍‌ସିବି ୱାର୍ଡକୁ ରୋଗୀ ସଂପର୍କୀୟ ପ୍ରବେଶ କରିପାରିବେନି ବୋଲି ବ୍ୟବସ୍ଥା ଥିବାବେଳେ ଏଭଳି ଘଟଣା କିପରି ଘଟିଲା, ତାହା ଏବେ ବିବାଦର ମୂଳ କାରଣ ହୋଇଛି। ଏହି ଭିଡିଓକୁ କମଳା ପୂଜାରୀଙ୍କ ସହିତ ଏସ୍‌ସିବିରେ ରହିଥିବା ମହିଳା ସାମାଜିକ କର୍ମୀ ନିଜେ ସୋସିଆଲ ମିଡିଆରେ ଛାଡିଥିବା ଜଣା ପଡିଛି। ନିଜେ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ମୋ ଦେହ ଭଲ ଲାଗୁ ନଥିଲା, କିନ୍ତୁ ସେହି ସୁନାବେଡିଆ ମୋର ଅଣ୍ଟାକୁ ଧରି ହଲେଇ ଦେଲା ଓ ମୁଁ ନାଚିଲି, କିନ୍ତୁ ତାଙ୍କୁ ପର୍ବରୁ ତାଙ୍କୁ ଚିହ୍ନି ନଥିଲି।’ ପଦ୍ମଶ୍ରୀ ପାଇବା ପରେ କୌଣସି ସଭାରେ ବି ତାଙ୍କ ‌ସହ ଦେଖା ହୋଇ ନଥିଲା ବୋଲି କମଳା ପୂଜାରୀଙ୍କ ବକ୍ତବ୍ୟ ବିବାଦକୁ ଜୋର୍ ଦେଇଛି। ସେପଟେ କମଳା ପୂଜାରୀଙ୍କ ସହିତ ଉକ୍ତ ମହିଳା ଆରମ୍ଭରୁ ରହି ଆସି ତାଙ୍କର ଦେଖାଶୁଣା କରୁଥିଲେ ବୋଲି ଏସସିବି କର୍ତ୍ତୃପକ୍ଷ କହୁଥିବା ବେଳେ ବାସ୍ତବରେ କାହା କଥା ଠିକ୍‌ ତାହାକୁ ନେଇ ପ୍ରଶ୍ନ ଉଠୁଛି।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ସମାଜସେବୀ ମମତା ବେହେରା ନାଚୁଥିବାର ଭିଡିଓ ଭାଇରାଲ୍ ହୋଇଛି। କିନ୍ତୁ ନୃତ୍ୟ ସଂପର୍କିତ ଭିଡିଓ ସଂପର୍କରେ ସେ ଏଯାଏ ଜାଣି ନଥିବା କହିଛନ୍ତି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌। ପଦ୍ମଶ୍ରୀ କମଳା ପୂଜାରୀ ଗତ ୨୪ ତାରିଖ ଭୋର ୪ଟା ସମୟରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ମେଡିକାଲର ମେଡିସିନ୍ ବିଭାଗରେ ଆଇସିୟୁ ସୁବିଧା ଥିବା ଏକ ଷ୍ଟେପ୍‌ଡାଉନ୍ ବେଡ୍ ତାଙ୍କ ପାଇଁ ରଖା ଯାଇଥିଲା। ତାଙ୍କ ସହିତ ନାତି ଧନୁପତି ଓ ରାଜୀବ ହିଆଲ ନାମକ ଜଣେ ଯୁବକ ଏସ୍‌ସିବିକୁ ଆସିଥିଲେ। ଏହି ସ୍ୱତନ୍ତ୍ର କ୍ୟାବିନ୍‌ରେ ପଦ୍ମଶ୍ରୀ ପୂଜାରୀ ଶୋଉଥିବା ବେଳେ ବାକି ୨ଟି ବେଡ୍‌ରେ ଧନୁପତି ଓ ରାଜୀବଙ୍କ ପାଇଁ ରଖାଯାଇଥିଲା। ମାତ୍ର ପଦ୍ମଶ୍ରୀ ପୂଜାରୀ ଭର୍ତ୍ତି ହେବାପରେ ଜଣେ ମହିଳା ନିଜକୁ କମଳା ମା’ଙ୍କ ଜଣାଶୁଣା ବୋଲି କହି ମେଡିକାଲରେ ପହଞ୍ଚି ଯାଇଥିଲେ। ମହିଳା ଜଣଙ୍କ କମଳାଙ୍କ ସହ ରହିବା ପରେ ରାଜୀବ ଓ ଧନୁ ପତି ରାତିରେ ମେଡିକାଲରେ ନ ଶୋଇ ସର୍କିଟ ହାଉସ୍‌ରେ ଶୋଉଥିଲେ। ରାଜୀବଙ୍କ କହିବା କଥା ହେଉଛି ମହିଳା ଜଣଙ୍କ ଆସିବାଦିନଠାରୁ କମଳା ମାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ସହ ଭିଡିଓ ଏବଂ ଫଟୋ ଉଠାଉଥିଲେ ଓ ପ୍ରତି ସମୟର ଭିଡିଓ ଉତ୍ତୋଳନ କରୁଥିଲେ। କିନ୍ତୁ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିବାରୁ କୌଣସି ଅଭିଯୋଗ ଆମେ କରି ନଥିଲୁ ବୋଲି ସେ କହିଛନ୍ତି। ଏହା ସେମାନଙ୍କର ଭାବାବେଗ ସହିତ ଖେଳ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Related Posts