ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁମ୍ବାଇ ଟ୍ରାଫିକ ଜାମକୁ ନେଇ ବିତର୍କ କରୁଥିବା ଜନୈକା ମହିଳାଙ୍କ ଭିଡିଓ ଏବେ ଦେଶରେ ଭାଇରାଲ ହେଉଛି। ଏହା ମଧ୍ୟରେ ବିଜେପି ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ଗିରିଶ ମହାଜନ ପଥଚାରୀଙ୍କୁ କ୍ଷମା ଯାଚନା କରିଛନ୍ତି। ସେ କହିଛନ୍ତି ଯେ ୱର୍ଲିରେ ତାଙ୍କ ପାର୍ଟି କାରଣରୁ ହୋଇଥିବା ଅସୁବିଧା ଲାଗି ସେ ବ୍ୟକ୍ତିଗତ ଭାବେ ବହୁତ ଦୁଃଖିତ। ହେଲେ ଘଟଣା ପାଇଁ ମହିଳା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପ୍ରତି କରିଥିବା ଅରୁଚିକର ଓ ଅଶାଳୀନ ବ୍ୟବହାର କିନ୍ତୁ ଠିକ୍ ହୋଇ ନାହିଁ। ଗିରିଶ ମହାଜନ କହିଛନ୍ତି ଯେ ବିଜେପି ମହିଳା ସଂରକ୍ଷଣ ବିଧେୟକ ସମର୍ଥନରେ ଏକ ରାଲିର ଆୟୋଜନ କରିଥିଲା। ଏହି ରାଲି କାରଣରୁ ଯାତାୟାତ ପ୍ରଭାବିତ ହୋଇଥିଲା। ଜଣେ ମହିଳା ମୋ ପାଖକୁ ଆସିଲେ ଓ ରାଗିକରି ମୋତେ ଚାହିଁଲେ, ସ୍ପଷ୍ଟ ଜଣାପଡୁଥିଲା ଟ୍ରାଫିକ ଜାମ ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ମୁଁ ତାଙ୍କୁ ଶାନ୍ତ କରାଇବା ପାଇଁ ଭେଟିବାକୁ ଚାହିଁଥିଲି। ମୁଁ ତାଙ୍କୁ ଆଶ୍ୱାସନ ଦେଇଥିଲି ଯେ ମାତ୍ର ୧୦-୧୫ ମିନିଟ୍ ରେ ଟ୍ରାଫିକ ଜାମ ସମସ୍ୟାର ସମାଧାନ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ସୋସିଆଲମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ମହିଳା ଟ୍ରାଫିକ ଜାମ କୁ ନେଇ ରାଗରେ ଜଳ ସଂସାଧନ ମନ୍ତ୍ରୀଙ୍କୁ ଏଠାରୁ ଚାଲିଯାଅ ବୋଲି ଧମକାଉଥିବା ଦେଖା ଯାଇଥିଲା।