(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଂଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ଏହି ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଏହା ସହ ବହୁ ଦିନ ଧରି ସଂରକ୍ଷଣ ପ୍ରସଙ୍ଗକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି।
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ସୀମା ୫୦% ଭିତରେ ରହିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଥିଲେ। ଏବଂ ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଆଗତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। କିନ୍ତୁ ସରକାର ପୌର ଆଇନର ସଂଶୋଧନ ପ୍ରସ୍ତାବକୁ ତାହା ସହ ଯୋଡ଼ି କ୍ୟାବିନେଟରେ ଗୃହୀତ କରାଇ ଦେଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ମିଳିଥିବା ସୂଚନା ମୁତାବକ ମନ୍ତ୍ରୀମାନେ ମଧ୍ୟ ଏ ସମ୍ପର୍କରେ ଆଗୁଆ ସୂଚନା ପାଇ ନଥିଲେ।
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ କ୍ୟାବିନେଟ୍ ବୈଠକ ହୋଇଥିଲେ। ଏଥିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଥିବା ୩ଟି ଆଇନ୍ ଓ ପୌର ନିର୍ବାଚନ ପାଇଁ ଥିବା ୨ଟି ଆଇନ୍ରେ ସଂଶୋଧନ ପ୍ରସ୍ତାବ ଅଣାଯାଇଥିଲା। ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବ ଆଇନ ଅନୁଯାୟୀ ସଂରକ୍ଷଣ ୬୫%ରୁ ଅଧିକ ହେଉଥିଲା। ଅନୁସୂଚିତ ଜାତିକୁ ୧୬.୨୫%, ଅନୁସୂଚିତ ଜନଜାତିକୁ ୨୨.୫% ଓ ଓବିସିକୁ ୨୭% ସଂରକ୍ଷଣ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। ଏବଂ ହାଇକୋର୍ଟ ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ମଧ୍ୟ କାଏମ୍ ରଖିଥିଲେ। ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ୨୦୧୮ ମସିହାରେ ରାୟ ଦେଇଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକ ଥିଲା। ତେଣୁ ପାଞ୍ଚଟି ଯାକ ଆଇନରେ ସଂଶୋଧନ କରାଯାଇ ସଂରକ୍ଷଣ ସୀମା ୫୦% ଭିତରେ ରଖିବାର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ବର୍ତ୍ତମାନ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ୧୧%କୁ ଖସିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ରାଜ୍ୟ ସରକାର ପୌର ନିର୍ବାଚନକୁ ଗତ ୩ବର୍ଷ ଧରି ଗଡ଼ାଇ ଚାଲିଛନ୍ତି। ତେବେ ସମାନ କାରଣ ପାଇଁ ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଥିଲା। ରାଜ୍ୟ ଜନସଂଖ୍ୟାର ଅଧିକାଂଶ ଓବିସି ହୋଇଥିବାରୁ ସେମାନଙ୍କ ପାଇଁ ସଂରକ୍ଷିତ ଆସନ କିପରି କମାଇବେ, ତାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା।
ଏହାକୁ ଦୃଷ୍ଟିରେ ରଖି ବିଜେଡି ଖେଳିଥିଲା ଓବିସି କାର୍ଡ଼ । ପଞ୍ଚାୟତ ନିର୍ବାଚନରେ ୨୭% ଓବିସିଙ୍କୁ ଦଳୀୟ ଟିକେଟ୍ ଦିଆଯିବ ବୋଲି ଦଳ ଘୋଷଣା କରିଥିଲା। ଏହାପରେ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୌର ନିର୍ବାଚନରେ ସଂରକ୍ଷଣ ପାଇଁ ବିଜେଡି ପକ୍ଷରୁ କୌଣସି ରାଜନୈତିକ ଘୋଷଣା କରାଯାଇ ନାହିଁ।
ପୌର ନିର୍ବାଚନ ପାଇଁ ଆବଶ୍ୟକ ରୁଲସରେ ସଂଶୋଧନ କରି ଅଗଷ୍ଟ ୧୨ତାରିଖରେ ଏନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ସେହିପରି ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ରୁଲସରେ ସଂଶୋଧନ କରି ଗତ ଅଗଷ୍ଟ ୧୮ତାରିଖରେ ଏନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି।