ରାଜ୍ୟରେ ୫ ଗୁଣା ବଢିବ କରୋନା ବେଡ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତ ବର୍ଷ ଅପେକ୍ଷା ବେଡ୍ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସାଧାରଣ, ଅକ୍ସିଜେନ ସପୋର୍ଟ ବେଡ୍ ସାଙ୍ଗକୁ ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ବେଡ୍ ର ଆବଶ୍ୟକତା ପଡୁଛି । ଏହା ମଧ୍ୟରୁ ଆଇସିୟୁ ଶଯ୍ୟା ସଂଖ୍ୟା ଦୁଇ ଗୁଣା ବୃଦ୍ଧି କରାଯିବ। କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ୍ ଦିଆଯିବ। ଏବେ ୩୦ ପ୍ରତିଶତ ବେଡ୍ ରେ ରୋଗୀ ରହିଥିବା ବେଳେ ୭୦ ପ୍ରତିଶତ ବେଡ୍ ଖାଲି ରହିଛି। ଡକ୍ଟର ମିଶ୍ରଙ୍କ ସୂଚନା ମୁତାବକ ଏବେ ସାଧାରଣ ବେଡ୍ ରେ ୨୫ % ଓ ଆଇସିୟୁ ବେଡ ରେ ୬୦% ରୋଗୀ ଅଛନ୍ତି। ୨୪୮ଟି ଭେଣ୍ଟିଲେଟର ବେଡ୍ ରୁ ୪୫ଟିରେ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଥିବା ମୋଟ ୫୪୧ଟି ଆଇସିୟୁ ବେଡ୍ ମଧ୍ୟରୁ ୩୨୯ଟି ବେଡ୍ ରେ ରୋଗୀ ଅଛନ୍ତି। ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେଉଁଭଳି ଭାବେ ଅକ୍ସିଜେନର ସଙ୍କଟ ଦେଖାଦେଇଛି ସେଥିପାଇଁ ୧୦ ଗୁଣା ଅଧିକ ଅକ୍ସିଜେନ ବୃଦ୍ଧି କରାଯିବ ବୋଲି ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ୪୦୦ ଭେଣ୍ଟିଲେଟର ରଖାଯିବ ସହ ଆବଶ୍ୟକ ପଡିଲେ ବ୍ଯବହାର କରାଯିବ। ଏପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Posts