ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି, ଆଗାମୀ ତିନି ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ: ଜନସ୍ଵାସ୍ଥ୍ୟ ନିର୍ଦେଶକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଆଗାମୀ ତିନି ମାସ ଆମ ମାନଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ୍ ବୟସର । ୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୯୪ଟି ଲୋକାଲ୍ କେସ୍ ରହିଛି ।

ରାଜ୍ୟର କୋଭିଡ୍ ସ୍ଥିତି ଉପରେ ସୂଚନା ଦେଇ ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି, ବର୍ତ୍ତମାନ ଯାହା ସ୍ଥିତି ରହିଛି ଆକ୍ଟିଭ କେସ, ହସ୍ପିଟାଇଲାଇଜେସନର ମାତ୍ରା ପୂର୍ବ ତୁଳନାରେ ହ୍ରାସ ପାଉଛି , ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ଏହା ବ୍ୟତୀତ ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମୁଛି। ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୫୦୦ ରୁ ୬୦୦ ଭିତରେ ରହୁଛି।

ଅନ୍ୟ ସ୍ଥାନ ତୁଳନାରେ ଭୁବନେଶ୍ୱର ଓ କଟକରେ ଅପେକ୍ଷାକୃତ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯେହେତୁ ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଏଠାରେ ସବୁଠାରୁ ବଡ଼ ବଡ଼ ହସ୍ପିଟାଲ ରହିଛି, ସେଥିପାଇଁ ଏଠି ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି। ବର୍ତ୍ତମାନ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରି ଦିଆଯାଇଛି। ତେବେ ବର୍ତ୍ତମାନ ସ୍ଥିତି ସ୍ଥିର ଅଛି। କିନ୍ତୁ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ ସତର୍କ କରାଇଛନ୍ତି । 

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦,୦୫,୫୬୪ଜଣ ସୁସ୍ଥ ହୋଇସାରିଛନ୍ତି। ୫,୮୭୬ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ୬ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି। 

Related Posts