ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): କରୋନା ମହାମାରୀ ପୁଣି ଥରେ ବିଶ୍ୱକୁ ଡରାଇବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଯେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଥିଲା, ବଲିଉଡ ଅଭିନେତା ସୋନୁ ସୁଦ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଲକଡାଉନ୍ ସମୟରେ ସେ ଲୋକଙ୍କୁ ସୁରକ୍ଷାର ସହିତ ଘରକୁ ପଠାଇଥିଲେ।ଭେଟେରାନ୍ ଅଭିନେତା ସେହି ସମୟରେ ଗରିବ, ଅଭାବୀ ଏବଂ ଛାତ୍ରମାନଙ୍କୁ ବହୁତ ସାହାଯ୍ୟ କରିଥିଲେ। ବର୍ତ୍ତମାନ ପୁଣି ଥରେ କରୋନା ଡରାଇବା ଆରମ୍ଭ କରିଛି, ଯେଉଁଥିପାଇଁ ସୋନୁ ସୁଦ ମଧ୍ୟ ପୁଣି ଅଣ୍ଟା ଭିଡିଛନ୍ତି।
ସୋସିଆଲ ମିଡିଆ ମାଧ୍ୟମରେ ସେ ସମସ୍ତଙ୍କୁ ସାବଧାନ ରହିବାକୁ ନିବେଦନ କରିଛନ୍ତି। ସେ ଏବେବି ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ସୋନୁ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ଥିବାବେଳେ ସେ ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ତେବେ ପୁଣିଥରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୋନୁ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘କରୋନା ପ୍ରତି ସାବଧାନ ରୁହ, ଭୟ କର ନାହିଁ। ଭଗବାନ ନ କରନ୍ତୁ ମୋର ଆବଶ୍ୟକତା ନପଡୁ, କିନ୍ତୁ ଯଦି ଆବଶ୍ୟକ ପଡେ, ତେବେ ମନେରଖ ନମ୍ବର ସମାନ ଅଛି।’ ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏହି ଟ୍ୱିଟ୍ ଭାଇରାଲ ହେଉଛି । ଅଭିନେତାଙ୍କ ଫ୍ୟାନ୍ସ ଟ୍ୱିଟକୁ ପସନ୍ଦ କରି ନିଜର ମତାମତ ଦେଉଛନ୍ତି।
