ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଛନ୍ତି ଅଭିନେତା ସୋନୁ ସୁଦ୍ : ଆୟକର ବିଭାଗ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆୟକର ବିଭାଗ ସ୍କାନରରେ ବଲିଉଡ ଅଭିନେତା ସୋନୁ ସୁଦ୍। ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘର ତଲାସିବା ପରେ ଆୟକର ବିଭାଗ କହିଛି ଯେ, ଅଭିନେତା ସୋନୁ ସୁଦ୍ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଛନ୍ତି।  ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସୋନୁ ସୁଦ୍ ଏଫ୍‌ସିଆର୍‌ଏ ଆଇନ୍‌ ଉଲ୍ଲଙ୍ଘନ କରିଛନ୍ତି। 

ସେ ବିଦେଶୀ ଋଣଦାତାଙ୍କ ଠାରୁ କ୍ରାଉଡଫଣ୍ଡିଂର ବ୍ୟବହାର କରି ୨.୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଆହୁରି ମଧ୍ୟ, ଅଭିନେତା ଏବଂ ତାଙ୍କ ସହଯୋଗୀମାନଙ୍କ ଘର ତଲାସ ସମୟରେ ଟିକସ ଫାଙ୍କି ସମ୍ବନ୍ଧୀୟ ଅପରାଧମୂଳକ ପ୍ରମାଣ ମିଳିଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। 

ସୋନୁ ସୁଦ୍ ଅନେକ ନକଲି ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଂଚ ଚାଲିଛି ବୋଲି ସିବିଡିଟି କହିଛି।  ବିନା କୌଣସି ବନ୍ଧକରେ ଅନେକ ଜାଲ୍‌ ସଂସ୍ଥାନରୁ ୨୦ଟି ‘ଏଣ୍ଟ୍ରି’ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଠକେଇରେ ସାମିଲ୍ ଥିବା ବ୍ୟକ୍ତି ମାନେ ଏହା ସ୍ବୀକାର କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ନଗଦ ଟଙ୍କା ଦେବା କ୍ଷେତ୍ରରେ ସେମାନେ ‘ଚେକ୍‌’ ଜାରି କରିଥିବା କଥା ସେମାନେ ମାନିଛନ୍ତି ବୋଲି କୁହାଯାଇଛି । ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଆକାଉଣ୍ଟ୍‌ରେ ଜମା ଅର୍ଥରାଶିକୁ ଋଣ ଭାବେ ଦର୍ଶାଇବାକୁ ଆବଶ୍ୟକ ରସିଦ୍‌କୁ ଜାଲିଆତି କରାଯାଇଥିବା କଥା ବି ଜଣାପଡ଼ିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ଟିକସ ଫାଙ୍କି ଅର୍ଥରାଶି ୨୦ କୋଟିରୁ ଅଧିକ ବୋଲି ଆୟକର ବିଭାଗ କହିଛି।

୪୮ ବର୍ଷୀୟ ସୋନୁ ସୁଦ, କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ। ସେ ସମୟରେ ସୋନୁ ରିଲ୍ ରୁ ରିଅଲ୍ ହିରୋ ହୋଇଯାଇଥିଲେ। ନିକଟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ସେ ଦିଲ୍ଲୀ ସରକାରଙ୍କ ମେଣ୍ଟର ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ହୋଇଥିଲେ।

Related Posts