
ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେବାରେ ଲାଗିଛି କରୋନା | ପୁଣି ମହାମାରୀ COVID-19 ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଛି | ତେବେ ଏହାରି ମଧ୍ୟରେ ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଦେଇଛି । ଏପରି ସମୟରେ ପୁଣି ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି ।
ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏକ ରିସର୍ଚ୍ଚରେ ଜାଣିବାକୁ ପାଇଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି ମଣିଷ ଶରୀରରେ ଥିବା ଇମ୍ୟୁନିଟିକୁ ଚକମା ଦେଇପାରେ । ଏହି କାରଣରୁ କୋରୋନାର ନୂଆ ଲହର ଆସିବାର ସମ୍ଭାବନା ରହିଛି । ତେବେ ଆଶ୍ବସ୍ତିର କଥା ଏହା ଯେ, ଟିକା ନେଇଥିବା ମଣିଷଙ୍କ ରକ୍ତରେ ଏହି ଉପ-ପ୍ରଜାତି ଅଧିକ ସମୟ ତିଷ୍ଠିବାକୁ ବହୁତ କମ ସକ୍ଷମ ହେବ।
ଏକ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଅନୁଷ୍ଠାନର ବୈଜ୍ଞାନିକମାନେ ଓମିକ୍ରନର BA.4 ଏବଂ BA.5 ସବ୍-ଭାରିଆଣ୍ଟ ଉପରେ ଅଧ୍ୟୟନ କରୁଥିଲେ, ଯାହା ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ମନିଟରିଂ ତାଲିକାରେ ଅର୍ନ୍ତଭୁକ୍ତ କରିଥିଲା । ସେମାନେ ପ୍ରଥମେ ଗତ ବର୍ଷ ଶେଷରେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ୩୯ଜଣଙ୍କର ରକ୍ତ ନମୁନା ପରୀକ୍ଷା କରିଥିଲେ, ଯେଉଁଥିରୁ ନୂତନ ଉପ-ପ୍ରଜାତି ମାନବ ଶରୀରରେ ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରୁଥିବା ସାମ୍ନାକୁ ଆସିଥିଲା ।ଭାରତରେ କୋରୋନା ସ୍ଥିତି ଦେଖିବାକୁ ଗଲେ ଗତ କିଛି ଦିନ ହେବ ଭାରତରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦେଶରେ ୩,୩୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓ ୪୦ମୃତ୍ୟୁ ରେକର୍ଡ କରାଯାଇଛି । ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୭୯,୧୮୮ରେ ପହଞ୍ଚିଛି । ଦୈନିକ ସଂକ୍ରମଣ ହାର 0.71 ପ୍ରତିଶତ ଏବଂ ସାପ୍ତାହିକ ହାର 0.68 ପ୍ରତିଶତ ରହିଛି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,157 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି(ରବିବାର) ତୁଳନାରେ କମ୍ । ଦିନକରେ ଦେଶରେ 26 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 19,500କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,38,976 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବଂ 5,23,869 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଦେଶବ୍ୟାପୀ ସମୁଦାୟ 1,89,23,98,347 ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।