15 ଦେଶକୁ ବ୍ୟାପିଛି କୋରୋନା ଭାଇରସ: ମାଧ୍ୟମ ସାଜିଛି ବିମାନବନ୍ଦର

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଏବେ ୧୫ ଦେଶକୁ ବ୍ୟାପୀଛି । ବିଭିନ୍ନ ଦେଶକୁ କରୋନା ଭାଇରସ ବ୍ୟାପିବାର ପ୍ରମୁଖ ମାଧ୍ୟମ ସାଜିଛି ବିମାନବନ୍ଦର । କେବଳ ଉହାନ୍‌ ବିମାନ ବନ୍ଦର ଦେଇ ବିଶ୍ବର ୧୫ ଦେଶକୁ କରୋନା ଭାଇରସ ସଂକ୍ରମିତ ହୋଇଛି । କରୋନା ଭାଇରସ ସଂକ୍ରମଣ ଭୟ ଥିବା‌ ପ୍ରମୁଖ ସମ୍ବେଦନଶୀଳ ୨୦ ରାଷ୍ଟ୍ର ମଧ୍ୟରେ ଭାରତ 17 ନମ୍ବରରେ ରହିଛି ।

ବିଶ୍ବର ୪,୦୦୦ ବିମାନ ବନ୍ଦରକୁ ନେଇ ଜର୍ମାନୀ ହମ୍‌ବୋଲ୍‌ଟ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି । ବିଶ୍ବବିଦ୍ୟାଳୟ ପକ୍ଷରୁ ‘୨୦୧୯ ନଭେଲ କରୋନା ଭାଇରସ ଗ୍ଲୋବାଲ ରିସ୍କ ଆସେସମେଣ୍ଟ’ ଶୀର୍ଷକ ଗବେଷଣା କରାଯାଇଥିଲା । ତେବେ କରୋନା ଭାଇରସ ସଂକ୍ରମଣ ନେଇ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର, ମୁମ୍ବାଇର ଛତ୍ରପତି ଶିବାଜୀ ବିମାନବନ୍ଦର, କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦର ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଏହି ଗ‌ବେଷଣା ରିପୋର୍ଟ କହୁଛି । ଏହି ତାଲିକାରେ ବେଙ୍ଗାଳୁରୁ, ‌ଚେନ୍ନାଇ, ହାଇଦରାବାଦ ଓ କୋଚି ବିମାନ ବନ୍ଦର ମଧ୍ୟ ଅସୁରକ୍ଷିତ ବୋଲି ଦର୍ଶାଯାଇଛି । ଏହିସବୁ ବିମାନବନ୍ଦରରେ କରୋନା ଭାଇରସ ସଂକ୍ରମଣ ସମ୍ଭାବନା ଅଧିକ ଥିବା ଜଣାପଡ଼ିଛି ।

ବିମାନ ବନ୍ଦର ଦେଇ କରୋନା ଭାଇରସ ସଂକ୍ରମଣର ଭୟ ସବୁଠୁ ବେଶି ରହିଛି । ଚୀନ୍‌ର ଉହାନ୍‌ ବିମାନ ବନ୍ଦର ଦେଇ ବିଶ୍ବର ଅନ୍ୟାନ୍ୟ ବିମାନ ବନ୍ଦରରେ କରୋନା ଭାଇରସ ସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ମଧ୍ୟରେ ଉହାନ୍‌ ବିମାନ ବନ୍ଦରକୁ ବନ୍ଦ କରାଯାଇଥିଲେ ମଧ୍ୟ କରୋନା ଭାଇରସ ବିଭିନ୍ନ ବିମାନ ବନ୍ଦର ଦେଇ ଭିନ୍ନଭିନ୍ନ ଦେଶକୁ ସଂକ୍ରମିତ ହୋଇ ସାରିଛି ।

Related Posts