10 ମୃତ୍ୟୁ ପରେ ଶକ୍ତି ମନ୍ତ୍ରୀଙ୍କ ଚେତା ପଶିଲା: 4 ଇଞ୍ଜିନିୟର ନିଲମ୍ବିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଗଞ୍ଜାମ ଗୋଳନ୍ଥରାରେ ବସ୍‌ରେ ବିଦ୍ୟୁତ ତାର ଲାଗି 10 ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ମହଙ୍ଗା ପଡ଼ିଲା ଖାମଖିଆଲି କାମ । ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବନ ହେଲେ 4 ଇଞ୍ଜିନିୟର । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ ଦେବାଶିଷ ନାୟକ ଓ ସରକାରୀ ଯନ୍ତ୍ରୀ ବିଶ୍ବରଞ୍ଜନ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଓ ସରକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

10 ମୃତ୍ୟୁ ପରେ ଶକ୍ତି ମନ୍ତ୍ରୀଙ୍କ ଚେତା ପଶିଲା

ସେପଟେ ଗୋଳନ୍ଥରାରେ ବସ୍‌ ଟ୍ରାଜେଡିରେ 10 ଜଣଙ୍କ ଜୀବନ ଯିବା ପରେ ଶକ୍ତି ମନ୍ତ୍ରୀଙ୍କ ଚେତା ପଶିଛି । ବିଳମ୍ବରେ ହେଲେ ବି ଆଜି ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । 11 କେଭି ତାର ରାସ୍ତାଠାରୁ 20 ଫୁଟ୍‌ ଉଚ୍ଚରେ ରହିବା କଥା । ଏହା ତଳକୁ ଥିଲେ ସେହି ଜାଗାଗୁଡ଼ିକୁ ଚିହ୍ନଟ କରିବ ଶକ୍ତି ବିଭାଗ । ଓହଳି ଥିବା ତାରକୁ ଚିହ୍ନଟ କରି ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବେ ଜେଇ । ଏହା ସହ ବିଦ୍ୟୁତ ନିରାପତା ନେଇ କର୍ମଶାଳା ବି ଆୟୋଜନ କରାଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ।  ଶକ୍ତି ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।

ବିଦ୍ୟୁତ ବିତରଣର ନିୟମ କ’ଣ ପୂର୍ବରୁ ଶକ୍ତି ମନ୍ତ୍ରୀ ଜାଣି ନଥିଲେ କି  ?

11 କେଭି ତାର ରାସ୍ତାଠାରୁ 20 ଫୁଟ୍‌ ଉଚ୍ଚରେ ରହିବା କଥା ଯଦି ମନ୍ତ୍ରୀ ଜାଣିଥିଲେ ତେବେ ତାହା ତଳକୁ ଓହଳିଥିଲା କାହିଁକି ?

10 ଜୀବନ ଗଲା ପରେ ଶକ୍ତି ମନ୍ତ୍ରୀଙ୍କ ନିରାପତା ଜ୍ଞାନ ଉଦୟ ହେଲା କି ?

ବିଦ୍ୟୁତ ନିରାପତା ନେଇ ମନ୍ତ୍ରୀଙ୍କ କର୍ମଶାଳା ଯୋଜନା ନିରାପତା ନେଇ ଅଧିକାରୀ ଓ କର୍ମଚାରୀଙ୍କ ଅଜ୍ଞତାକୁ ଦର୍ଶାଉନି କି ?

ବିଦ୍ୟୁତ ବିଭାଗରେ ଥିବା ଅଧିକାରୀ ବା କର୍ମଚାରୀଙ୍କର କ’ଣ ନିରାପତା ଜ୍ଞାନ ନାହିଁ କି ?

ଯଦି ନାହିଁ ତେବେ ସେଭଳି ବ୍ୟକ୍ତିଙ୍କୁ ବିଦ୍ୟୁତ ବିଭାଗରେ ଚାକିରି ଦିଆଯାଇଛି କାହିଁକି ?

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗାଁରେ ଏକ ବସ୍‌ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ସେଥିରେ ଥିବା ୪୩ ଜଣଙ୍କ ଭିତରୁ ୧୦ଜଣ ଜୀବନ୍ତ ଦଗ୍ଧ ହୋଇଗଲେ । ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ରାତିରେ ସେମାନଙ୍କ ମଧ୍ୟରୁ ଜ‌ଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Related Posts