ବ୍ୟାଙ୍କିଙ୍ଗ କ୍ଷେତ୍ରରେ କରୋନାର ପ୍ରଭାବ, ୧୩୦୦ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡ ନେଲାଣି ମହାମାରୀ କରୋନା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କୋଭିଡ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ କରୋନାରେ ସଂକ୍ରମିତ ହେଉଥିବାର ଦେଖିବା ପାଇଁ ମିଳୁଛି । ଏପରି ସ୍ଥିତିରେ ଭାରତରେ ପ୍ରାୟ ୧୩୦୦ ବ୍ୟାଙ୍କ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କଥା ସାମ୍ନାକୁ ଆସିଛି । ଏନେଇ ଅଲ୍ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭେଙ୍କଟାଚାଲମ୍ ସୂଚନା ଦେଇଛନ୍ତି । ତେବେ ଦେଶରେ କରୋନାର ଦ୍ୱିତୀୟ ଲୋହାରରେ ଅନେକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କୋଭିଡରେ ସଂକ୍ରମଣ ହୋଇ ପ୍ରାୟ ୧୩୦୦ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଯାହା ସମୁଦାୟ ବ୍ୟାଙ୍କ କର୍ମଚାରୀଙ୍କ ୦.୧୦ ପ୍ରତିଶତ ହୋଇଥିବା ବେଳେ ସମଗ୍ର ଦେଶ ପାଇଁ ମୃତ୍ୟୁ ଅନୁପାତ ୦.୦୨ ପ୍ରତିଶତ ରହିଛି । ଅନ୍ୟପଟେ କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ କାରଣ ସେମାନେ ଏପର୍ଯ୍ୟନ୍ତ ଟୀକାକରଣ କରିନାହାଁନ୍ତି। ତେବେ ସମଗ୍ର ଦେଶରେ ଦ୍ୱିତୀୟ ତରଙ୍ଗରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟ ଏହାର ସଂଖ୍ୟା ବୃଦ୍ଧି ପାଉଛି । ବିଶେଷକରି ମୃତ୍ୟୁ ସଂଖ୍ୟାରେ ଏହା ସର୍ବାଧିକ ବୃଦ୍ଧି ପାଉଛି ବୋଲି ବ୍ୟାଙ୍କ କର୍ମଚାରୀମାନେ କହିଛନ୍ତି । ବ୍ୟାଙ୍କ ଶାଖା ଗୁଡିକରେ ସବୁ ପ୍ରକାରର ଲୋକଙ୍କ ହଟସ୍ପଟ୍ ହୋଇଥିବାରୁ ବ୍ୟାଙ୍କ କର୍ମଚାରୀମାନେ ଅଧିକ ସଂକ୍ରମିତ ହେଉଛନ୍ତି । କେବଳ ଏତିକି ନୁହଁ ବ୍ୟାଙ୍କରେ କେବଳ ନିୟମିତ ଗ୍ରାହକଙ୍କୁ ଛାଡି ଅନେକ ଲୋକ ବିଭିନ୍ନ ସେବା ପାଇଁ ବ୍ୟାଙ୍କ ଗୁଡ଼ିକରେ ଭିଡ଼ ଜମାଇଥାନ୍ତି । ଯାହାଫଳରେ ଅନେକ କର୍ମଚାରୀ ସଂକ୍ରମିତ ହେବା ସହ ପ୍ରାଣ ହରାଉଛନ୍ତି । ଅନ୍ୟପଟେ ଟୀକାକରଣ ପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ରସରକାର କୌଣସି ଭୂମିକା ଗ୍ରହଣ କରିନାହାଁନ୍ତି ବୋଲି ବ୍ୟାଙ୍କ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

Related Posts